ପ୍ରସ୍ତାବ ଦିବସେ
ପ୍ରସ୍ତାବ ଦିବସେ
ପ୍ରସ୍ତାବ ଦିବସେ ତୁମକୁ ହେ ବନ୍ଧୁ
ପ୍ରସ୍ତାବ ଦେଉଛି ଆଜି
ରହିବାକୁ ଚିର କାଳ ବନ୍ଧୁ ହୋଇ
ହେବ ନି ତୁମେ ଅରାଜି।
ମୋର ହୃଦୟର ଶାମୁକା ଭିତରେ
ତୁମ ପ୍ରେମ ସାଇତିଛି
ତୁମ କଥା ଭାବି ଦିନ ନ ସରଇ
ବିନିଦ୍ରେ ରାତି ପାହୁଛି।
ତୁମକୁ ପାଇବା ଜୀବନର ଲକ୍ଷ୍ୟ
ନ ଜାଣ କି ତୁମେ ସାଥୀ
ତୁମ ଅପେକ୍ଷାରେ ଦିବସ-ରଜନୀ
ଖୋଜେ ମୁଁ ତୁମର ପ୍ରୀତି।
ତୁମ ପାଖେ ମନ ବନ୍ଧା ପଡ଼ିଅଛି
ମୁକୁଳିବା ଇଛା ନାହିଁ
ମୋ ପ୍ରେମ ଜୀବନ ସାର୍ଥକ ହୋଇବ
ତୁମେ ଦେଲେ ଥରେ ଛୁଇଁ।
ତୁମରି ପରଶ ପାଇଲେ ଜୀବନେ
ଲୋଡା ନାହିଁ ଆନ କିଛି
ତୁମ ପୀରତିର ମଧୁର ପୀୟୂଷ
ଦିଅ ପ୍ରଭୁ ବାରେ ସିଞ୍ଚି।
ରାଧା ମୀରା କିବା ଦ୍ରୌପଦୀ ନୁହେଁ ମୁଁ
ନୁହେଁ ମୁଁ ଯଶୋଦା ଜମା
ଭକ୍ତି ଆରାଧନା ଜଣା ନାହିଁ ମୋତେ
ତୃଟି ଥିଲେ କର କ୍ଷମା।
ଭକତି ଭାବରୁ ଭରିଦିଅ ମନେ
ଏତିକି ଗୁହାରି କରେ
ଭକ୍ତ- ଭଗବାନ ଅତୁଟ ବନ୍ଧନ
ଥାଉ ସଦା ହୃଦୟରେ।
