ପରମାନନ୍ଦ ସଚ୍ଚିଦାନନ୍ଦ
ପରମାନନ୍ଦ ସଚ୍ଚିଦାନନ୍ଦ
ସତ୍... !
ସିଦ୍ଧ ତୁମେ ,
ଅଖଣ୍ଡ ତୁମେ...
ପୂଜ୍ୟ ତୁମେ,
ପରିବ୍ୟାପ୍ତ ତୁମେ ... !
ବ୍ରଧ୍ନ ପରି ବଳିଷ୍ଠ,ଭାସ୍ୱର...
ସଦ୍ୟ ସତ୍ୟ ଚିରନ୍ତନ,
ଚିର ବିଦ୍ୟମାନ... !
ନୈତିକ ସଞ୍ଚିତ ସଞ୍ଜୀବନୀ....
ସତ୍ୟନିଷ୍ଠ ସତ୍ୟବାଦୀ,
ସତ୍ୟବ୍ରତୀ ବ୍ୟକ୍ତିତ୍ୱ ବକ୍ଷର,
ଚିର ହରିତ୍ ସାଦର ସାରଥି... !
ଚିତ୍... !
ସ୍ଥିରତାରହିତ...
ଚୈତନ୍ୟ ତୁମେ,
ବ୍ରହ୍ମାଣ୍ଡ ବ୍ରହ୍ମତ୍ତ୍ୱ....
ଅନ୍ତରୀକ୍ଷ ଆତ୍ମା...
ଚିନ୍ମୟ ତୁମରି ସତ୍ତା....
ବିବର୍ଣ୍ଣ ବଳୟ ବକ୍ଷେ
ପରମ ପୁରୁଷ ପରଂବ୍ରହ୍ମ
ପରମ ଈଶ୍ୱର..... !
ଗର୍ବହୀନ ଜ୍ଞାନ...
ଅନନ୍ତ ତୁମରି ସତ୍ତା... !
ତୁମେ ବ୍ରହ୍ମତେଜ ବ୍ରହ୍ମୋର୍ପଣ..... !!
ଆନନ୍ଦ...
ତୁମେ ଆତତ ଆକାଂକ୍ଷା
ପରିମିତ ପୃଥିବୀରେ
ଅପରିମିତ ଅଭିଳାଷ... !
ଆଂଶିକ ଅନ୍ଧାର ବକ୍ଷେ
ଅଣାକାର ଅଣୁ..... !
ପ୍ଳବ ପ୍ଳବ ପ୍ରେରଣାର ଆବାହକ...
ଦିବ୍ୟଜ୍ୟୋତିଃ ଦିବ୍ୟ ପାରିଜାତ...
ଦୁର୍ଜନ ଚରିତ୍ର ପାଇଁ ଦୁର୍ଗ୍ରହ ଦୁର୍ଘଟ...
ସତ୍ୟ ସିଦ୍ଧ କୃତି ପାଇଁ ପେନ୍ଥା ପେନ୍ଥା
ସଂହତ ସଂସ୍କାର...... !
ସତ୍..ଚିତ୍..ଆନନ୍ଦ
ଅନନ୍ତ,ଅପରିସୀମ
ବିଶ୍ଵବ୍ୟାପୀ ପରିଦୃଶ୍ୟମାନ
ଏକରେ ଅନେକ ଅନେକରେ ଏକ !
ତୁମେ ସମ୍ମୋହନ,ତୁମେ ବିମୋହନ
ତୁମେ ଆଲୋଡନ,ତୁମେ ବିସ୍ଫୋରଣ
ତୁମେ ସ୍ଥିତି,ତୁମେ ପ୍ରଜ୍ଞା...
ତେଣୁ ତୁମେ ସ୍ଥିତପ୍ରଜ୍ଞ..... !
ସଂକୀର୍ଣ୍ଣେ ବିସ୍ତୀର୍ଣ୍ଣ, ବିସ୍ତୀର୍ଣ୍ଣେ ଅକ୍ଷୁର୍ଣ୍ଣ
ବର୍ଣ୍ଣରେ ବିବର୍ଣ୍ଣ,ବିବର୍ଣ୍ଣରେ ବର୍ଣ୍ଣ ..!!
କ୍ଷିତି,ଅପ୍ ,ତେଜଃ ,ମରୁତ୍,ବ୍ୟୋମ
ତୁମରି ସଂରଚନାର ଅଭିଷିକ୍ତ
ସୁରମ୍ୟ ପରିଧି....
ପରମ ଆନନ୍ଦ...
ସଚ୍ଚିଦାନନ୍ଦ, ତୁମେ !
