ପରମ୍ ବ୍ରହ୍ମଙ୍କୁ ଜୀବାତ୍ମାର
ପରମ୍ ବ୍ରହ୍ମଙ୍କୁ ଜୀବାତ୍ମାର
କାୟା କାରାଗାରେ ବନ୍ଦୀ ମୁଁ
ପ୍ରଭୁ ଅଖିଳପତି
ବହୁବାର ଜନ୍ମ ଲଭିଣ
ପାଉନାହିଁ ମୁକତି ॥
ନିଜ କର୍ମଫଳ ଭୋଗୁଛି
ମର ଶରୀର ନେଇ
ତ୍ରିତାପରେ ସନ୍ତୁଳିତ ମୁଁ
ମୋତେ ନମିଳେ ତ୍ରାହି ॥
ବ୍ରହ୍ମମୟ ପ୍ରଭୁ ଜଗତ
ବ୍ରହ୍ମଧାମୁ ଆସିଛି
ପ୍ରକୃତି ନିର୍ଦ୍ଦେଶ ପାଳନେ
ଜୀବ ବୋଲାଉ ଅଛି ॥
ବିଷୟା ବିଷରେ ଆବଦ୍ଧ
ହୋଇ ପ୍ରକୃତି ଦୋଷେ
ଅହଂକାରେ କର୍ତ୍ତା ଭାବି ମୁଁ
ବୁଦ୍ଧି ହରାଇ ବସେ ॥
ତୁମେ ପ୍ରଭୁ ମୋତେ ଦେଇଛ
ଦେହ ସଙ୍ଗେ ଇଂଦ୍ରିୟ
ସବୁ କ୍ଷଣସ୍ଥାୟୀ ସଂସାରେ
ହେଉ ବୁଦ୍ଧି ଉଦୟ ॥
ସଦା ବ୍ରହ୍ମବୋଧ ଭାବନା
ସଙ୍ଗେ ଦିବ୍ୟ ଚେତନା
ସାଧୁ ସନ୍ଥଙ୍କର ଚିନ୍ତନ
ମୋତେ ଦେଉ ପ୍ରେରଣା ॥
ନିରାକାର ସର୍ବ ବ୍ୟାପକ
ପ୍ରଭୁ ପରମେଶ୍ୱର
ନିନାଦିତ ହେଉ କର୍ଣ୍ଣରେ
ସଦା ଓଁକାର ସ୍ୱର ॥
ବ୍ରହ୍ମଜ୍ୟୋତି ହେଉ ପ୍ରକାଶ
ମୋର ଆତ୍ମା ମଧ୍ୟରେ
ବ୍ରହ୍ମଲୋକେ ମିଳୁ ଆନନ୍ଦ
ମୃତ୍ୟୁ ଲଭିବା ପରେ ॥
ବେଦମାତା ମୋର ପାଥେୟ
ସେତ ଜ୍ଞାନ ସାଗର
ଅଜ୍ଞାନ ତିମିରୁ ବିଭୁହେ
ମୋତେ ଉଦ୍ଧାର କର ॥
++++++++++++++
[ ହରି ଓଁ ତତ୍ ସ ତ୍ ]
