ପ୍ରକୃତି କୋଳରେ ଦିନେ
ପ୍ରକୃତି କୋଳରେ ଦିନେ
ସତେକି ମର୍ତ୍ତ୍ୟରେ ନନ୍ଦନକାନନ
ଅପରୂପ ଶୋଭାରାଜି,
କଳା ମଚମଚ ରାସ୍ତା ଦୁଇପାର୍ଶ୍ୱେ
ରହିଛି ଶୋଭା ବିରାଜି ।
ସର୍ପିଳ ରାସ୍ତାର ବେନିପାର୍ଶ୍ୱେ ଶୋହେ
ସବୁଜିମା ଭରା କ୍ଷେତ,
ଏକାସାଙ୍ଗେ ମେଳି ବୃକ୍ଷରାଜି କେତେ
ଉଡାନ୍ତି ସବୁଜ ନେତ ।
ମଝିରେ ମଝିରେ ପର୍ବତ ମାନଟି
ସଗର୍ବେ ଦଣ୍ଡାୟମାନ,
ଅତି ସରାଗରେ କରୁଥାନ୍ତି ସିଏ
ପ୍ରକୃତିର ଜୟଗାନ ।
ଯୁଆଡେ ଚାହିଁବ ପାହାଡି ଝରଣା
ନାଚି ନାଚି ଯାଏ ବହି,
ମଝିରେ ମଝିରେ ଅଙ୍କାବଙ୍କା ନଈ
ବହିଯାଏ ଗୀତ ଗାଇ ।
ହସ ହସ ମୁହେଁ ପ୍ରକୃତି ମଣିଷ
ପ୍ରକୃତି କୋଳରେ ଖେଳେ,
ଦିନସାରା ଖଟେ ପେଟ ପାଇଁ ତା'ର
ଫେରିଥାଏ ସଞ୍ଜବେଳେ ।
ଦିନ କଷ୍ଟ ଭୁଲି ସଭିଏଁ ଏକାଠି
ନାଚଗୀତେ ମସଗୁଲ,
ଧନ୍ୟବାଦ ଏହା ପ୍ରଭୁଙ୍କ ଉଦେଶ୍ୟେ
ବୁଝନ୍ତି ଜୀବନ ମୂଲ୍ୟ ।
ଯାହା ମୁଁ ଦେଖୁଛି ତାହା ମୁଁ ଲେଖୁଛି
କୋରାପୁଟ ମାଟି କଥା,
ଏମାଟି ମୋହରେ ବନ୍ଧାଟି ବାଟୋଇ
ଭୁଲିଛି ସଂସାରେ ବ୍ୟଥା ।