ପ୍ରଜାପତିର ଡେଣା-ବାର
ପ୍ରଜାପତିର ଡେଣା-ବାର
ଅଦ୍ଭୁତ ସେଇ ତୈଳଚିତ୍ର,
କେତେ ପ୍ରଯତ୍ନରେ ଟଙ୍ଗାଇଥିଲୁ
ହୃଦ ସ୍ପନ୍ଦନରେ ।
ସେ କଣ ଜାଣିଥିଲା
କେତେ ନିମଗ୍ନ ତୁ ,
ନା ନିଜ ପ୍ରତି ମନସ୍କ
ନା ବାହାରର ସମସ୍ତ ଘଟଣା
ଘଟିବାକୁ ଯାଉଥିଲା
ତୋ ଆତ୍ମପ୍ରତୟରେ ।
ଶବ୍ଦକୋଷର କେଉଁ ଶବ୍ଦସବୁ
ଆସକ୍ତ ଥିଲେ ,
ତୋ ବିଜୟ-ପରାଜୟ ରେ
କେଉଁମାନେ ଭୋଗୁଥିଲେ ଆତ୍ମଯନ୍ତ୍ରଣା,
କେଉଁମାନେ ଜିଉଁ ଥିଲେ ଗ୍ଲାନିର ମଗ୍ନତା ।
କାହାକୁ କହିବୁ !
ଚିତ୍ରକୁ କଣ ନିଜ ଦେହରେ ଟାଙ୍ଗିପାରେ
ଘରକାନ୍ଥ !!
କଣ ଅବା କହିପାରେ
ତୋ ଦେହର ବର୍ଣବୋଧ
ସେଇ ଶବଦମାନଙ୍କୁ,
ନିଜ ବିବର୍ଣତାରେ ସେମାନେ
ଚିରକାଳ ମୁଗ୍ଧ ,
ନିଜ ଅର୍ଥ ପାଇଁ ପରାସ୍ତ ସେମାନେ
ପ୍ରତି କ୍ଷଣ ।
ଚିତ୍ର ଅନ୍ୟ ପାଇଁ
ବଦଳାଏନା ନିଜ ଅର୍ଥ,
ନା ତିଆରିପାରେ ସ୍ଵାର୍ଥର ବ୍ୟାକରଣ ।
ତେଣୁ ସେ ସେମିତି ହିଁ ଥାଉ
ଈଶ୍ଵରଙ୍କ ପରି ସ୍ପନ୍ଦନରେ ।
