ପ୍ରିୟତମ
ପ୍ରିୟତମ
ପ୍ରିୟତମ !
ପ୍ରଥମ ଦେଖାରେ ତୁମେ ବିଭୋର
ମୋ ଆଖିର ଇସାରାରେ
ଅଳସ ଓଠର କମ୍ପନରେ ।
ତୁମେ ଲେପିଥିଲା ତୁମରି ସୁଗନ୍ଧ
ମୋ ତନୁ ମନେ,
ଆଉ ମୁଁ ଫୁଲ ପରି
ହସିଥିଲି,ଖେଳିଥିଲି
ତୁମ ମଳୟର ଦୋଳନରେ ।
ପରିଚୟର ମାପକାଠିରେ
ତୁମେ ଚିତ୍ରିତ ପ୍ରଜାପତି
ମୁଁ ଲାଲ ମନ୍ଦାର,
ଚାତକ ପରି ଚାହିଁଛି
ତୁମ ପ୍ରୀତି ଚୁମ୍ବନକୁ ।
ଭଲ ଲାଗେନା ଏ ପୃଥିବୀ
ତୁମେ ନଥିଲେ,
ତୁମ ମୃଦ୍ୟୁ ନିଶ୍ୱାସରେ
ମୋ ଦେହେ ନିଆଁ ଲାଗେ,
ବୁକୁ ଭିତର ଛାତିରେ
ପୁଲକର ଟ୍ରେନ ଛୁଟେ
ଏକ ଅଜଣା ଇନ୍ଧନରେ ।
ଭୁଲି ଯାଆନା
ମୁଁ ଏବେ ବିରହୀ ଚକୋରୀ
ନିଃସଂଗତାର ତୀବ୍ର ଯନ୍ତ୍ରଣା
କଙ୍କଡା ବିଛାର ନାହୁଡ ପରି
ମୋତେ ଦଂଶନ କରେ,
ଆଉ ସେତିକି ବେଳେ
ଲୋଡି ବସେ ତୁମରି ସ୍ପର୍ଶ ।
ସମୟର ଆଷାଢ଼ ନଈରେ
ତୁମ ଆଗମନକୁ ଚାହିଁ ଚାହିଁ
ଜୀର୍ଣ୍ଣ ଶୀର୍ଣ୍ଣ ଶରୀରରେ
ମୁଁ ଆଜି ଦଗ୍ଧ ସଳିତା ମାତ୍ର ।
କିନ୍ତୁ ପ୍ରିୟତମ
ତୁମେତ କାନ୍ତିମୟ, ଅପରୂପ
ଏ ଅବସନ୍ନ ଲଗ୍ନରେ
ତୁମେ ଆସ
ବସନ୍ତର ମଳୟ ହୋଇ
ମୋ ପାଇଁ
ହେ ମୋର ଏକାନ୍ତ ପ୍ରିୟତମ ।
