ପ୍ରେମ
ପ୍ରେମ
ମିଛିମିଛିକା ମୁଁ ଭଲ ପାଉଥିଲି
ମିଛ ପ୍ରେମର ମୁଁ ନାଟକ କଲି।
ଅଜବ କଥା ଏ ହେଇଗଲା ଏବେ
ସତରେ ତୋତେ ମୁଁ ଭଲପାଇଲି ।
ଯାଦୁ ଥିଲା ତୋର ମଉନ ଭାଷାରେ
ଆଉ କଥାକୁହା ଦୁଇ ଆଖିରେ।
କିଭଳି କହିଲୁ କୋଉ ଭାଷାରେ ତୁ
ଗାର ଟାଣିଦେଲା ମୋ ହୃଦୟରେ ।
ତୋ ମନ ଗହନ ଗୋପନ କଥାକୁ
କେମିତି କହୁ ତୁ ଓଠ ନ ଖୋଲି।
ଜାଣିନି କେମିତି ତୋ ନୀରବ ଭାଷା
ସତକୁ ସତ ମୁଁ ପଢ଼ି ପାରିଲି ।
ଦୂରରେ ଥିଲେ ବି କି କିମିଆଁ ଜାଣୁ
ତୋ କଥା ସବୁ ମୁଁ ଜାଣି ପାରୁଛି।
ଏବେ ମୁଁ ଭଲରେ ଜାଣି ସାରିଲିଣି
ସତସତିକା ମୁଁ ଭଲପାଉଛି ।
ଏବେ ଯେତେ ତୋତେ ଭଲ ମୁଁ ପାଉଛି
କିଟିମିଟିଆ ତୁ ଲାଗୁଛୁ ଭାରି।
ଯୋଉ କଥା ତୋର ଭଲ ଲାଗୁଥିଲା
ସେ କଥାଗୁଡାକ ବାଧୁଛି ଭାରି ।
ଆଗରୁ ତୁ କଥା କହୁ ନଥିଲେ ବି
ତୋ ମନର ଭାଷା ମୁଁ ବୁଝୁଥିଲି।
ଏବେ ସେ ଭାଷାକୁ ପଢିବା କଳାଟା
ସତରେ କେମିତି ପାଶୋରିଦେଲି ।
ପଢେଇଦେ ଥରେ ସେ ପୁରୁଣା ପାଠ
ଆଉ ଭୁଲିବିନି ସେ ପାଠ କେବେ।
ପୁଣିଥରେ ତୋର ଆଖିର ଭାଷାକୁ
ଭଲକରି ପଢ଼ି ପାରିବି ତେବେ ।
