ପ୍ରେମ
ପ୍ରେମ
ପ୍ରେମ !
ସର୍ବଶ୍ରେଷ୍ଠ ସର୍ବୋତ୍ତମ ଶବ୍ଦଟିଏ,
ଶୁଣିବାକୁ ମଧୁର
ସ୍ଵପ୍ନଠୁ ସୁନ୍ଦର
ଲାଗେ ଅମୃତ ଝର
ଛୁଇଁଲେ ଜାଣିବ,ସମିଶ୍ରଣ ସୁଖ ଓ ଦୁଃଖର ।
ପ୍ରେମ !
ଜାତି,ଧର୍ମ,ବର୍ଣ୍ଣ,ସମ୍ପ୍ରଦାୟ ଠାରୁ ଉର୍ଦ୍ଧ୍ବରେ
ମିଳନ ଦୁଇ ଆତ୍ମାର
ଫୁଲ ଓ ଫଗୁଣର
ଆଉ କିଛି ହରେଇବା ଡ଼ର
ଟୋପାଏ ସିନ୍ଦୂରର ଅଧିକାର
ପାଇଲେ ଜାଣିବ,ସେ ତ ପାରିଜାତ ନନ୍ଦନବନର ।
ପ୍ରେମ !
ହୃଦୟର ଭାଷାକୁ ପ୍ରକାଶ କରି ଗଢାଯାଏ
ଭରଷା ଆଉ ବିଶ୍ୱାସର
ଛୋଟିଆ ବାଲିଘର
କେବେ ଗଢ଼ିହୁଏ କେବେ ଭାଙ୍ଗିଯାଏ
ଜୀବନଟା କ୍ଷେତ୍ର ସଂଘର୍ଷର
ଯୁଝିଲେ ଜାଣିବ, ସେ କଷ୍ଟକର ହେଲେ ବି ମହୁଠୁ ମଧୁର ।
ପ୍ରେମ !
ସାଥିଟିଏ କେବେ ଜୀବନ ରାସ୍ତାର
ଛୋଟ ଏକ ପ୍ରତିଶ୍ରୁତି ବଞ୍ଚିବାର
ନିଜକୁ ହଜେଇ ବାରବାର ଖୋଜିବାର
ଲୁହ ପୋଛି ହସିବାର
ଅନୁଭବ କରିଲେ ଜାଣିବ,ସେ ଅନୁଭବ ଭୋଗଠୁ ସୁନ୍ଦର
ପ୍ରେମ !
ଅଭୁଲା ସ୍ମୃତିର
ବର୍ଷା ଭିଜା ଶ୍ରାବଣର
ବିରହ ଯନ୍ତ୍ରଣାର
ଅସଜଡ଼ା ସମ୍ପର୍କର
ଅତୀତକୁ ଭୁଲିଯାଇ
ଆଗକୁ ଆଗେଇବାର, ଲୋଡ଼ା କିନ୍ତୁ
ଅସୀମ ଧୈର୍ଯ୍ୟର ।