STORYMIRROR

Bauribandhu Lenka

Others

5.0  

Bauribandhu Lenka

Others

ପ୍ରେମ ପାଗଳିନୀ ରାଧା

ପ୍ରେମ ପାଗଳିନୀ ରାଧା

2 mins
26.8K


ନାହିଁ ମୋ କାହାକୁ ଡର ଆରେ କାହ୍ନା

ନିସଙ୍ଗତାକୁ ମୁଁ ଡରେ

ତୋ ସଙ୍ଗେ ପ୍ରେମକୁ ନାହିଁ ମୋର ଡର

ଅପବାଦକୁ ମୁଁ ଡରେ ॥ ୧ ॥


ହୄଦୟରେ ମୋର ଅସରନ୍ତି ଆଶା

ତୋ ସହ ମିଳନ ପାଇଁ

ହେଲେ ସେ ମିଳନ ପରେ ବିଚ୍ଛେଦକୁ

ଡର ଲାଗେରେ କହ୍ନେଇ ॥ ୨ ॥


ସପନେ ତତେ ମୁଁ ଦେଖିଲେରେ କାହ୍ନା

ମନ ମୋ ଚହଲିଯାଏ

ଦୂରେଇ ରହିବି ଚାହିଁଲେ ବି ଯେତେ

ପ୍ରେମ ତୋର ଜିତି ଯାଏ ॥ ୩ ॥


ହୁଅନ୍ତି କି ତୋର ପ୍ରିୟା ଆରେ କାହ୍ନା

ତୋ ପ୍ରେମେ ପାଗଳି ହୋଇ

ଜୀବନଟା ସାରା ବିତି ମୋ ଗଲାଣି

ତୋର ପଥ ଚାହିଁ ଚାହିଁ ॥ ୪ ॥


ମନ ଯମୁନାରେ ପ୍ରେମର ତରଙ୍ଗ

ଉଠେ ମୋର ରହି ରହି

ତୋ ସଙ୍ଗେ ମିଳନ ଇଛା ହିଁ କେବଳ

ଆନ କିଛି ଚାହେଁ ନାହିଁ ॥ ୫ ॥


ବାଟ ଭୁଲି ଯଦି ଅଜାଣତେ କେବେ

ଆସନ୍ତୁ ଏ ବାଟ ଦେଇ

ମୋ ପ୍ରେମ ବନ୍ଧନେ ବାନ୍ଧି ମୁଁ ରଖନ୍ତି

କେବେବି ଛାଡନ୍ତି ନାହିଁ ॥ ୬ ॥


ଥରେ ଯଦି କାହ୍ନା ହୃଦୟେ ଲଗାଇ

କରନ୍ତୁ ତୁ ଆଲିଙ୍ଗନ

ସବୁଦିନ ପାଇଁ ହୋଇ ମୁଁ ଯାଆନ୍ତି

ତୋର ହୃଦର ସ୍ପନ୍ଦନ ॥ ୭ ॥


ଅସୁବିଧାରେ ମୁଁ ରହିଛିରେ କାହ୍ନା

କିପରି ଖୋଲି କହିବି

ତୁତ ସୁମନର ସୁଗନ୍ଧ ତତେ ମୁଁ

କେଉଁ ସୁଗନ୍ଧେ ମୋହିବି ॥ ୮ ॥


ଜାଣିଛି ମୁଁ କାହ୍ନା ତୋ ପ୍ରେମେ କେବଳ

ନାହିଁ ଅଧିକାର ମୋର

ମନ ମୋ କହୁଛି ଅପେକ୍ଷା କରିବି

ବଞ୍ଚିଥିବା ଯାଏ ତୋର ॥ ୯ ॥


ଅଧରେ ଅଧର ଲଗାଇ ତୁ ଥରେ

ଦିଅନ୍ତୁ ଯଦି ଚୁମ୍ବନ

ତୁ ବାଇଲେ ବଂଶୀ ରାଧା ରାଧା ବୋଲି

ଡାକନ୍ତା ତୋ ବଂଶୀ ସ୍ୱନ ॥ ୧୦ ॥


ସଜ ସୁମନର ସୁଗନ୍ଧ ହୋଇ ମୁଁ

ପବନରେ ମିଶିଯିବି

ସେ ପବନ କାହ୍ନା ସେବନ ତୁ କଲେ

ହୃଦୟେ ତୋ ବସିଯିବି ॥ ୧୧ ॥


ତୋ ହୃଦୟେ ରହି କାହ୍ନାରେ ତତେ ମୁଁ

କରିବି ପ୍ରେମେ ଅଧୀର

ମୋ ପ୍ରେମେ ଅଧୀର ହୋଇ ତୁ ଖୋଜିବୁ

ମତେ ସାରା ଗୋପପୁର॥ ୧୨॥


ଯେ ଦିନ ତୋ ମୁଖ ଦର୍ଶନ କରିବା

ହୋଇଲା ମୋର ସୌଭାଗ୍ୟ

ଶ୍ୟାମ ରଙ୍ଗ ବିନା ଆନ କେଉଁ ରଙ୍ଗେ

ବଳେନା ମନେ ସରାଗ ॥ ୧୩ ॥


ଚତୁଃର୍ଦ୍ଦିଗ ଶ୍ୟାମମୟ ଦିଶେ କାହ୍ନା

କଲୁ କି ଯାଦୁ ମନ୍ତର

ବାଜେ ଅପବାଦ ନାଗରା ମୋ ନାମେ

କମ୍ପୁଅଛି ଗୋପପୁର ॥ ୧୪ ॥


ଆଉ ପାରୁନାହିଁ ରହି ତୋର ବିନା

କରି ନେ ମୋତେ ନିଜର

ସବୁ ଦିନ ପାଇଁ ରଖିଦେ ରେ କାହ୍ନା

ବନ୍ଧନେ ମୋତେ ତୋହର ॥ ୧୫॥

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍