ପ୍ରେମ ଓ ପ୍ରତାରଣା
ପ୍ରେମ ଓ ପ୍ରତାରଣା
ପବିତ୍ର ପ୍ରେମଟା କଳଙ୍କିତ ଆଜି
ପ୍ରତାରଣା ବିଷ ଭରି
ସବୁ ବୁଝିପାରି ଏ ସଭ୍ୟ ମଣିଷ
ଦ୍ୱନ୍ଦ୍ୱେ ହୁଏ ଖାଲି ଘାରି l
ପ୍ରେମ ଫଗୁଣର ଅବିର ରଙ୍ଗଟା
ଲାଗେ ଆଜି ଫିକାଫିକା
ମିଛ ପ୍ରତାରଣା ସନ୍ଦେହ ଘେରରେ
ବଞ୍ଚିବାକୁ ହୁଏ ଏକା l
ପ୍ରକୃତ ପ୍ରେମର ସଂଜ୍ଞା ବଦଳିଛି
ନାହିଁ ଆଉ ଆକର୍ଷଣ
କାମନା ନିଶାରେ ବାଟବଣା ଆଜି
ପ୍ରେମିକ ପ୍ରେମିକା ଗଣ l
ବୁଝନ୍ତିନି କେହି ପ୍ରେମ ଯେ ଅମୂଲ
ସମ୍ପର୍କର ପୂଜାଫୁଲ
ପ୍ରେମ ସ୍ପର୍ଶେ ଫୁଟେ ସ୍ୱର୍ଗ ପାରିଜାତ
ନୁହଁନ୍ତି କେହି ତା' ତୁଲ l
ପ୍ରେମରେ ମିଶିଲେ ପ୍ରତାରଣା ଝୁଲ
ଜୀବନଟା ହୁଏ ନଷ୍ଟ
ପ୍ରେମୀ ଏକା ଜାଣେ ପ୍ରତାରଣା ପାଇଁ
ଭୋଗିବାକୁ ପଡ଼େ କଷ୍ଟ l
ପ୍ରେମ ଦୁନିଆରେ ଠିକଣା ହଜେଇ
କରନାହିଁ ପ୍ରତାରଣା
ବିଶ୍ୱାସ ଭରସା ଗହଣା ପିନ୍ଧି କି'
ଠିକ୍ ରଖ ବୁଝାମଣା l
ପ୍ରେମ ତ ନୁହଁଇ ଭୋଗର ପ୍ରତୀକ
ଅଟଇ ସଦା ଶାଶ୍ୱତ
ପ୍ରେମ ଅନୁପମ ପ୍ରେମ ନୈସର୍ଗିକ
ଜାଣିଛି ଏହା ଜଗତ l
