ପ୍ରଦୀପର ଅଭିଳାଷ
ପ୍ରଦୀପର ଅଭିଳାଷ
ନିତି ନିତି ଜଳୁଥାଏ ମୁଁ ପ୍ରଦୀପ
ନିଃଶେଷ କରିଣ ଅଙ୍ଗ
ଅଧିକରେ ନାହିଁ ଆଶା ଓ ଆକାଂକ୍ଷା
ଯାହା ବି ପାଉଛି ସୁଖ ।
ସବୁରି ସ୍ଥାନରେ ପାଏ ମୁଁ ଆଦର
ମନ୍ଦିର ବା ପଢ଼ାଘର
ଯେଉଁଠାରେ ଥିଲେ କରିଚାଲେ କର୍ମ
ମନେ ନାହିଁ ଅହଙ୍କାର ।
ଧନୀ ବା ଗରିବ ହେଉ ରାଜା ରଙ୍କ
ଲୋଡା ମୁଁ ସବୁରି ପୁରେ
ଅନ୍ୟକୁ ଆଲୋକ କରି ବିତରଣ
ଜଳିଥାଏ ଆନନ୍ଦରେ ।
ହୁଏ ମାଟି ସୁନା ତମ୍ବା କି ପିତ୍ତଳ
ଅବା ପଥର ରତନ
ଜଳିଯାଏ ନିଜେ ହେଉଥାଏ ଭସ୍ମ
କର୍ମ ଅନ୍ଧାର ନାଶନ ।
ଚିନ୍ତି ନାହିଁ ମନେ ହେବାପାଇଁ ସମ
ଗ୍ରହ ନକ୍ଷତ୍ର ଜ୍ୟୋତିଷ୍କ
ଅତି କ୍ଷୁଦ୍ର ଆଲୋକ ବର୍ତ୍ତିକା ମୁଇଁ
ଜଳି ନାଶୁଥାଏ ତମ ।
ଆୟୁ ମୋର ସ୍ୱଳ୍ପ ଜଣାଅଛି ମୋତେ
ଜଳି ହେଉଥାଏ ଭସ୍ମ
କର୍ତ୍ତବ୍ୟ ପଥରୁ ନକର ବିଚ୍ୟୁତ
ଏହା ଶେଷ ଅଭିଳାଷ ।
