ପ୍ରଭାତ ପୂର୍ବରୁ
ପ୍ରଭାତ ପୂର୍ବରୁ
ବୁଡିଲେଣି ନିଶାକର ଆକାଶ ବକ୍ଷରେ
ଡାକିଲେଣି ଚିତ୍ରବାଜ ସୁଉଚ୍ଚ ସ୍ୱରରେ ।
ନବ ବଧୂ ସ୍ନାନ ସାରି ଫେରୁଛି ଗୃହକୁ
କାଖରେ ଧରିଛି ଜଳପୂର୍ଣ୍ଣ କଳସୀକୁ ।
ଧୀରେ ଧୀରେ ଚାଲୁଅଛି ଓଦା ବସ୍ତ୍ର ପିନ୍ଧି
ମୁଣ୍ଡରେ ଓଢଣୀ ନାଇ ହେଉଅଛି ଛନ୍ଦି ।
ଚାଷୀପୁଅ ଶେଯ ଛାଡି ନିତ୍ୟକର୍ମ ପାଇଁ
ଚାଲିଲାଣି ନିର୍ଭୟରେ ପୋଖରୀକୁ ସେହି ।
ନାରୀମାନେ ନିଦ୍ରା ତେଜି ପ୍ରଭାତ ପୂର୍ବରୁ
ଘରସଫା କରିଲେଣି ଦାଣ୍ଡରୁ ବାଡିରୁ ।
ବୁଢ଼ୀ ମାଆ ମୁହଁ ଧୋଇ ତୋଳିଲାଣି ଫୁଲ
ହରିନାମ ଭଜି ଭଜି କାଟେ ତା'ର ବେଳ ।
ଶୁଭିଲାଣି ହମ୍ବାରଡି ଗୁହାଳ ଭିତରୁ
ପ୍ରଭାତର ଆଗମନ ହୋଇବା ଆଗରୁ ।
ଖାଦ୍ୟ ଅନ୍ୱେଷଣ ପାଇଁ ଉଡିଯିବେ ବୋଲି
ବସାମଧ୍ୟେ ଚାହିଁଲେଣି ପକ୍ଷୀ ଆଖି ଖୋଲି ।
ଉଇଁବାକୁ ଦିବାକର ହୋଇଲେଣି ସଜ
ବୁଣିଦେବେ ଧରାପୃଷ୍ଠେ ତାହାଙ୍କର ତେଜ ।
କେଡେ ମନଲୋଭା ସତେ ଗ୍ରାମେ ସେହି ଦୃଶ୍ୟ
ପ୍ରଭାତ ପୂର୍ବରୁ ବାଣ୍ଟେ ପ୍ରତି ଓଠେ ହସ ।
