STORYMIRROR

Niranjan Mishra

Others

3  

Niranjan Mishra

Others

ପ୍ରଭାତ ବର୍ଣ୍ଣନା

ପ୍ରଭାତ ବର୍ଣ୍ଣନା

1 min
191


ବିଭାବରୀ ଅନ୍ତେ ପ୍ରାଚୀ ଗଗନ

ରକ୍ତିମ ଆଭା ଦିଶେ ଶୋଭାବନ । ୧।

ଅରୁଣିମାକୁ କି ଉପମା ଦେବା

ଅରୁଣ ଆଣିଲେ ଭାନୁଙ୍କୁ ଅବା ।୨।

ସପତ ଅଶ୍ୱ ହରିତ ବରନ

ବିଜୟ କରିଲେ ବିଶ୍ବ ଭାବନ ।୩।

ସବିତା ସେ ଜଗତ ପ୍ରସବିତା

ପାଳନ ପ୍ରଳୟ ଆଦି କରତା ।୪।

ବିଶ୍ୱର ସେହି ଏକ ମାତ୍ର ଚକ୍ଷୁ

ବିଷ ହରନ୍ତି ସେ ଧରଣୀ ବକ୍ଷୁ ।୫।

ପ୍ରଦୂଷଣ ମୁକ୍ତ ହୋଇଲେ ଧରା

ବହିଯାଏ ସିନା ଅମୃତ ଧାରା ।୬।

ଏକ ଚକ୍ର ରଥେ ଅରୁଣ ବାହି

ତପନ ଉଇଁଲେ ଆନନ୍ଦ ହୋଇ ।୭।

ଖଗ କାକଳି ଶବଦ ଶୁଭିଲା

ଉଷା ଆଗମନୀ ପ୍ରଚାର ହେଲା ।୮।

ଲଲାମେ କି ତାର ସିନ୍ଦୁର ଟୀକା

ବିଚିତ୍ର ବରନା ଉଷା ନାୟିକା ।୯।

ଲାଲିମାରୁ କ୍ରମେ ଜ୍ୟୋତି ଉଜ୍ଜ୍ବଳ

ଉଜ୍ଜ୍ବଳୁ ହୋଇଲା ଉଜ୍ଜ୍ବଳତର ।୧୦।

ଜାଗି ଉଠିଲେ ନର ନାରୀଗଣ

ମନ୍ଦିରରେ ଶଙ୍ଖ ମଙ୍ଗଳ ସ୍ୱନ ।୧୧।

ଘଣ୍ଟି ଘଣ୍ଟା ଶୁଭେ ମଙ୍ଗଳ ଧ୍ୱନି

କି ଅବା ଜାଗ୍ରତ ହେଲା ମେଦିନୀ ।୧୨।

କୁସୁମ ଫୁଟିଲା ଚହଟେ ବାସ

ଉପବନେ ଭରି ଯାଏ ସୁବାସ ।୧୩।

ଅଳି କୁସୁମୁ କୁସୁମେ ଉଡିଲେ

ମଦନ ଗୁଞ୍ଜନ କିବା କରିଲେ ।୧୪।

ଶୀତଳ ସମୀର ବହଇ ଧୀରେ

ସଭିଙ୍କର ମନ ହରଣ କରେ ।୧୫।

ପ୍ରଭାତ କାଳରୁ ଉଠି ଗୋପାଳେ ।

ଗୋବତ୍ସା ଘେନି ବନସ୍ତେ ଚଳିଲେ ।୧୬।

ଲାଗିଲେ ସରବେ ଯେଝା କରମେ ।

ନବୀନ ଆଶା ଜାଗ୍ରତ ମରମେ ।୧୭।

ପ୍ରଭାତୀ ତାରା କ୍ରମେ ଲୁପ୍ତ ହେଲା।

ପ୍ରତୀଚି ନଭେ ଶଶାଙ୍କ ଲୁଚିଲା । ୧୮।

ନବ ପ୍ରଭାତ ଶୁଭ ଆଗମନୀ ।

ଉତ୍ସାହ ସଭିଙ୍କୁ ଦିଅଇ ଆଣି ।୧୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍