ପରାଧୀନ ଆମେ ନାରୀ
ପରାଧୀନ ଆମେ ନାରୀ
ସ୍ୱାଧୀନ ଭାରତ ମାଆ ର ମାଟିରେ
ପରାଧୀନ ଆମେ ନାରୀ,
ଆଜି ବି ଭୋଗୁଛୁ ନାନା ଦୁଃଖ,କଷ୍ଟ
ବଞ୍ଚିଅଛୁ ମରି ମରି ।
ଶ୍ୱେତାଙ୍ଗ ଇଂରେଜ ସରକାର ଙ୍କ ଠାରୁ
ପାଇଗଲୁ ସିନା ମୁକ୍ତି,
ଅଣ୍ଟି ଛୁରୀ ଯଦି ତଣ୍ଟି କୁ କାଟିବ
ମନେ କିଏ ଦେବ ଶକ୍ତି ?
ସ୍ୱାଧୀନ ଭାରତ ଗଢ଼ିବା ପଥରେ
ଦିନେ ନାରୀ ଥିଲେ ମୁଖ୍ୟ,
ପୁରୁଷ ଙ୍କ ସଙ୍ଗେ ପାଦ କୁ ମିଳାଇ
ପୁରା କଲେ ଏହି ଲକ୍ଷ୍ୟ ।
ଆଜି କିନ୍ତୁ ଏଇ ପୁୁରୁଷ ସମାଜ
କହୁଛନ୍ତି ନାରୀ ତୁଚ୍ଛ ,
ନାରୀ ଟିଏ ତାଙ୍କ ଦୁଃଖ,ଦୁର୍ଭାଗ୍ୟ ର
ଅନ୍ୟତମ ଶ୍ରାପ୍ୟ ଗୁଚ୍ଛ ।
ଭାବୁଛନ୍ତି ସିଏ ନାରୀ ଟିଏ ତାଙ୍କ
ଭୋଗ ବିଳାସ ର ଦ୍ରବ୍ୟ ,
ଖୁସି ଦେବା ଛଡ଼ା ପୁରୁଷ ମାନଙ୍କୁ
ନୁହେଁ ଆଉ କିଛି ଯୋଗ୍ୟ ।
ପୁରୁଷ ଙ୍କ ବିନା ନାରୀ ଏ ସମାଜେ
ଧରିପାରିବେନି ରାହା ,
ବାଲ୍ୟକାଳେ ପିତା, ଯୌବନ ରେ ପତି
ବୃଦ୍ଧକାଳେ ପୁତ୍ର ସାହା ।
ନିଜ ଜୀବନ କୁ ତିଳ ତିଳ କରି
ଜାଳିଦେଇ ଗୋଟେ ନାରୀ,
ସୁଖ ଦେବାପାଇଁ ତା' ପରିବାର କୁ
ନିଏ ସିଏ ଦୁଃଖ ବରି ।
କେବେ ସିଏ ମାଆ,କେବେ ସିଏ ଝିଅ
ପୁଣି କେବେ ସିଏ ଭଗ୍ନୀ,
କେବେ ପୁଣି ତା'ର ବୋହୂ ଭୂମିକା ତ
କେବେ ସାଜିଥାଏ ପତ୍ନୀ ।
ଭାର୍ଯ୍ୟା ରୂପେ ମଧ୍ୟ ନାରୀ ଟିକୁ ପାଇ
ପାଆନ୍ତିନି ସିଏ ଶାନ୍ତି,
ଅନ୍ୟ ଝିଅ,ବୋହୂ ଉଠାଇ ନିଅନ୍ତି
ହେଉ ଦିନ ଅବା ରାତି ।
ଭଉଣୀ ସମାନ ଦୃଷ୍ଟି ରେ ନ ଦେଖି
ଭାବନ୍ତି ଶଯ୍ୟା ସଙ୍ଗିନୀ,
ଅକୁଣ୍ଠ ଚିତ୍ତ ରେ ହରଣ କରନ୍ତି
ନାରୀ ର ଅମୂଲ୍ୟ ମଣି ।
ପ୍ରତିବାଦ କରେ ନାରୀ ଟିଏ ଯଦି
ହୁଏ କଳଙ୍କ ଚରିତ୍ର ,
ସମସ୍ତେ କୁହନ୍ତି ଭୁଲ୍ ସବୁ ତୋର
ଭୁଲ୍ ପରିଧାନ ବସ୍ତ୍ର ।
କେତେଦିନ ଏଇ ଅନ୍ୟାୟ ବିରୁଦ୍ଧେ
ଲଢ଼ୁଥିବ ଏକା ନାରୀ,
ରକ୍ଷା କରିବାକୁ ନିଜର ସତୀତ୍ୱ
ପଡ଼ୁଥିବ କେତେ ବଳି ?
ସବୁ ପ୍ରକାର ର ସ୍ୱାଧୀନତା ଠାରୁ
ବିକଳ ଯା' ପାଇଁ ନାରୀ,
ସତୀତ୍ୱ ଟି ସେଇ ଅମୂଲ୍ୟ ସଂପଦ
ନୁହେଁ କେହି ଏହା ସରି ।
ଏହି ସ୍ୱାଧୀନତା ମାଗୁଅଛୁ ଆମେ
ଦେଇଦିଅ ଆମ ହସ୍ତେ,
ହେ ପୁରୁଷ ଜାତି ବାଧା ଦିଅ ନାହିଁ
ଚାଲିବାକୁ ଆମ ରାସ୍ତେ ।
ସବୁ ପ୍ରକାର ର ସ୍ୱାଧୀନତା ଥାଇ
ମାନସିକ ଶାନ୍ତି ନାହିଁ,
ସବୁ ସମୟରେ ନିର୍ଯ୍ୟାତିତ ଆମେ
ସ୍ୱାଧୀନତା ଆମ କାହିଁ ?
ପ୍ରତି ମୂହୂର୍ତ୍ତରେ ସତୀତ୍ୱ କୁ ରକ୍ଷା
କରୁଅଛୁ ଡରି ଡରି,
ସ୍ୱାଧୀନ ଭାରତେ ଆଜି ବି ରହିଛୁ
ପରାଧୀନ ଆମେ ନାରୀ ।