ପନ୍ଥ
ପନ୍ଥ
ପନ୍ଥ ଓ ବାଦର ଦୋ ଘାଇରେ
ବିତୁଛି ଜୀବନ ମୋହର
ନୁହେଁ ଯେଣୁ ସୁବିଧାବାଦୀ
ନାହିଁ ମଧ୍ୟମମାର୍ଗ ବର୍ତ୍ତିବାକୁ
ତର୍କ ବିତର୍କର ମହାଯୁଦ୍ଧରେ!!
ଦୂର୍ବଳର ସ୍ୱାର୍ଥ ରକ୍ଷା ଲାଗି
ସ୍ୱର ତୋଳୁଛି ବୋଲି
କିଏ କହେ ମୋତେ ବାମପନ୍ଥୀ
ପୁଞ୍ଜିବାଦର ଘୋର ବିରୋଧୀ
ବିକାଶର ଚରମ ପରିପନ୍ଥୀ!!
ଜଗତୀକରଣ ଉଦାରବାଦୀ ଅର୍ଥନୀତିର
ସପକ୍ଷରେ ବାଢ଼ିଲେ ଯୁକ୍ତି
ମୁଁ କାଳେ ମାର୍କିନ୍ ଏଜେଣ୍ଟ୍
ସାମ୍ରାଜ୍ୟବାଦୀ ଶକ୍ତିର ଉପାସକ!!
ମହାଭାରତୀୟ ସଂସ୍କୃତିର
ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ହେତୁ
ଅନେକ କହନ୍ତି ଏଇ ଅକିଞ୍ଚନ
ଜନଟିକୁ ମୌଳବାଦୀ ଦକ୍ଷିଣପନ୍ଥୀ!!
ନାରୀର ଦୁଃଖ ଦୁର୍ଦ୍ଦଶାର କଥା
ମୁଁ କହିଲେ ସାଜିଲି ନାରୀବାଦୀ
ପୁରୁଷ ପ୍ରଧାନ ଏଇ ସାମାଜ ତନ୍ତ୍ର
ମୋହର ପ୍ରଚଣ୍ଡ ବିରୋଧୀ!!
ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ପ୍ରତିପତ୍ତିର
ବିରୋଧରେ କହୁଥିବାରୁ ମୁଁ
କାଳେ ନାସ୍ତିକ ମୂଢମତି
ତଥାକଥିତ ବୁଦ୍ଧିଜୀବୀ ହେତୁବାଦୀ!!
ତମାମ ଶାବ୍ଦିକ ଦ୍ୱନ୍ଦ୍ୱ ସତ୍ତ୍ୱେ
ମୁହିଁ ଜଣିଛି ମାତ୍ର ଏତିକି
ଶୁଦ୍ଧାନ୍ତକରଣେ କାୟମନୋବାକ୍ୟରେ
ଅଟଇ ମାନବବାଦୀ!!
ଦୁର୍ବଳ ମୋହର ଅର୍ଥନୀତି
ଯାହାଙ୍କ ପାଇଁ ମୁଁ ଲଢୁଛି
ସଭିଏଁ ମିଳିମିଶି ଶୋଷନ୍ତି ନିତି
ଏଇ ମୋର ଚରମ ଦୁର୍ଗତି!!
