ପଙ୍ଗପାଳ
ପଙ୍ଗପାଳ
ମାତିଛନ୍ତି ତାତିଛନ୍ତି ମାଳ ମାଳ ପଙ୍ଗପାଳ
ଲଂଘି ବିବେକର ସୀମା ସରହଦ ସକଳ
ଉଚ୍ଚେ ଉଡି ଓର ଉଣ୍ଡି ଢାଳନ୍ତି ହଳାହଳ ଗରଳ
ଅଙ୍ଗେ ଅଙ୍ଗେ ଜଳୁଅଛି କାମନାର ଅନଳ
ଆନର ଶୋଣିତ ପାନେ ହୋଇଣ ସବଳ
ଲୁଟି କାଟି ଖାଇଯାନ୍ତି ମାଂସ ପଳ ପଳ
ହାହାକାରେ କମ୍ପି ଉଠେ ଏ ମହୀ ମଣ୍ଡଳ
ସବୁଜ ବନାନୀ ଅବା ଫସଲ ପାକଳ
ଲତା କାଣ୍ଡ ପତ୍ର ଶାଖା ଫୁଲ ଫଳ
କ୍ରୁର ସଂଘାତରେ ସର୍ବେ ଡହଳ ବିକଳ!!
ସର୍ବଗ୍ରାସୀ ଏଇ କ୍ଷୁଧା ତୃଷାର ଦାବାନଳ
କରାଳ ବ୍ୟାପ୍ତି ତାହାର ତୀବ୍ର ପ୍ରଖର ଚଞ୍ଚଳ
ରଚଇ ଯେବେ ତାଣ୍ଡବର ନାରକୀୟ ଖେଳ
ଗ୍ରାସଇ ନିର୍ଦ୍ଧନର କଷ୍ଟାର୍ଜିତ ସଞ୍ଚିତ ସମ୍ବଳ
କ୍ଷଣିକରେ ଜନତା ହୁଅଇ ନିଃସ୍ବ ଦୁର୍ବଳ
ଭାଙ୍ଗି ମେରୁଦଣ୍ଡ କରଇ କମ୍ପିତ କାଙ୍ଗାଳ
ଲଗାଇ ନିଜର କଳ ବଳ ଛଳ କୌଶଳ
ଶୋଷି ଦିଏ ମଣିଷର ସବୁ ତକ ବଳ
ଜଳାଏ ତାହାକୁ ଅହରହ ତିଳ ତିଳ
ରଖିବାକୁ ଚାହେଁ କରି ପଦାନତ ଚିରକାଳ!!
ଭଦ୍ର ମୁଖା ପିନ୍ଧା ଦ୍ବିପଦ ପଙ୍ଗପାଳ ଦଳ
ବୋଲାଇ ଆପଣକୁ ସ୍ଵଚ୍ଛ ସ୍ପଟିକ ଧବଳ
ନିର୍ମଳ ଭାବରେ କରନ୍ତି କୋଷାଗାର ଖୋଳ
ଜଳକା ହୋଇ ଚାହିଁଥାଏ ଜନତା ସରଳ!!