ପଲ୍ଲୀଗୀତ - ୨୩
ପଲ୍ଲୀଗୀତ - ୨୩
ଲିଭି ନଥିଲା ମୋ ଗୋଡରୁ ଅଳତା
ହାତର ମେହିନ୍ଦି ଚିହ୍ନ,
ଛ'ହଜାରିଆ ଚାକିରୀ ଲୋଭରେ
କଲିକତା ଗଲେ ଧନ।
କାଶ ତଣ୍ଡି କେରୀ କେରୀ ଲୋ ବଉଳ
ଧଳା ଫୁଲ କେରୀ କେରୀ,
କାନ୍ତ ଯାଇଥିଲେ ବିଦେଶ କରି,
ଛାତି ହଉଥିଲା କୋରି।
ନେଉଳ ଦେଖିଲି ସକାଳୁ ସକାଳୁ
ହଉଥିଲା କନକନ,
ଭଦଭଦଳିଆ ପର ଝାଡିଗଲା
ସଞ୍ଜକୁ ଆସିଲେ ଧନ।
ଗଛରୁ ପଡିଲା ବେଲ ଲୋ ବଉଳ
ପଡିଲା ପାଚିଲା ବେଲ,
ଗୋଦରୀ ଶାଶୁକୁ ନିଦ ନଆସେ
ତା ଗୋଡେ ନଘସିଲେ ତେଲ।
କାଠୁଆରେ ମେଞ୍ଚେ ବଟା ହଳଦୀ ଲୋ
ଜଡା ତେଲ ଥିବ ପଡି,
ଶାଶୁ ସାଆନ୍ତାଣୀ ବୋଳିହେବେ ତାକୁ
ଛଡେଇବି ଘଷି ମୋଡି।
ରାତି ଗଲେ ବଢି,ଆଖି ଗଲେ ପଡି
ଖୁନ୍ଦା ମାରୁଥିବେ ବୁଢୀ
ଆସିଲା ବେଳକୁ ଗେରସ୍ତ ପାଖକୁ
ମାରୁଥିବେ ସେ ଘୁଙ୍ଗୁଡି।
ପାହାନ୍ତାରୁ ଗଲି ପୋଖରୀ ତୁଠକୁ
ହଜିଲା ପାଉଁଜି ମୋର,
'ନିର୍ମୁଲି ଖୁଣ୍ଟି'ର ଝିଅ ବୋଲି କହି
ନଣନ୍ଦ ମୋ ଗରଗର।
କାଉ କରେ କାଆ କାଆ ଲୋ ସଜନୀ
ଡାମେରା କାଉର କାଆ,
ନୁଗା ପାଲେଟିଲା ବେଳେ ଉଣ୍ଡିଲା ମୋ
ଦିଅର ପେଣ୍ଡେରା ମୁହାଁ।
ଦୁଆରରେ ଦେଲି ଚିତା ଲୋ ସଜନୀ
ଦେଲି ପିଠଉର ଚିତା,
ଭାଲୁ ମୁହିଁ ମୋର ବଡ ନଣନ୍ଦ ସେ
ଖେଣ୍ଟେଇ ଜଗତ ଜିତା।
କୂଅରେ ପଡିଲା ଗରା ଲୋ ସଙ୍ଗାତ
ପଡିଲା ପିତଳ ଗରା,
ମଝିଆ ନଣନ୍ଦ ରାଇଜ ଫୁଲେଇ
ସାନ ନଣନ୍ଦଟି ହୀରା।
ଗାଲରେ ମୋ କଳା ଯାଇ ଲୋ ବଉଳ
ଓଠ ତଳେ କଳାଯାଇ,
ଶଶୁରଟି ମୋର ବାପଠୁଁ ବଳି ଲୋ
ନିଦା ବିଷ୍ଣୁଟିଏ ସେହି।
ମହକିଲା ଚମ୍ପା ଫୁଲ ଲୋ ସଙ୍ଗାତ
ମହକିଲା ଯାଈଫୁଲ,
ଗେରସ୍ତ ସୁଆଗ ଅମୂଲ ମୂଲ ଲୋ
ତା ସଙ୍ଗେ କେ ହେବ ତୁଲ?
