STORYMIRROR

Kulamani Sarangi

Others

3  

Kulamani Sarangi

Others

ପଲ୍ଲୀ ସୁନ୍ଦରୀ

ପଲ୍ଲୀ ସୁନ୍ଦରୀ

1 min
9.2K


ପଦ ଆଣିଚି କନିଆଁ,

ପେମଲତା ତାର ଇସ୍କୁଲୁ ନାଆଁ,

ତାକୁ ଡାକନ୍ତି'କାଳୀକା ମା'।

ଦିହଟି ଚିକ୍କଣ କଳା,

ମୁହଁଟି ଗୋଲ ଛାଞ୍ଚରେ ଢଳା,

ତାର ଅଣ୍ଟାରେ ରୂପା ମେଖଳା।

ବାନ୍ଧିଚି ତେଲଙ୍ଗୀ ଯୁଡା,

ମଲ୍ଲୀମାଳ ପୁଣି ଗଭାରେ ଚଢା,

ତାର କାନେ ପେଣ୍ଡିଫୁଲ ଯୋଡା।

ସିନ୍ଦୁର ଟୋପାକୁ ଚାହିଁ,

ସକାଳ ସୁରୁଜ ଲୁଚନ୍ତି କାହିଁ,

ମେଘ ଉଢାଳେ ମୁହଁ ଲୁଚେଇ।

ସଂଜ ଅଗଣାରେ ଠିଆ,

ହୁଏ ଯଦି ତହିଁ ଚନ୍ଦ୍ର ଉଦିଆ,

'କେନ୍ଦୁବନ ଚନ୍ଦ୍ରମା' ସେ ଆହା !

ସରୁକଟି ଗୁରୁ ଉରୁ,

ଚାଲନ୍ତେ ନାଚଇ ନିତମ୍ବ ଚାରୁ,

କାଖେ ଥାଏ ପାଣିଗରା ଗରୁ।

ଝୁମୁରୁ ପାଉଁଜି ଶୁଣି,

ପଞ୍ଚଶର ମାରେ କନ୍ଦର୍ପ ଟାଣି,

ଟୋକା ମନ ହୁଏ ଆଣ୍ଠୁଆଣି।

ଗୁରୁ ଗଉରବ ଜଣା,

ବଡଙ୍କୁ ଦେଖିଲେ ଟାଣେ ଓଢଣା,

ମାଆ ଶିଖେଇଚି ତ ଷଣ୍ଠଣା।

ବୟସ ହେବ ଅଠର,

ଶାଶୁ ଶଶୁରଙ୍କୁ କେଡେ ବେଭାର,

ଉଠି ସକାଳୁ କରେ ଯୁହାର।

ମାଛିକି କରେନି ମଅ,

ବ'କହିଲେ ସେ ହୁଅଇ ବଅ,

ରାନ୍ଧେଣାରେ ଲକ୍ଷ୍ମୀଙ୍କର ଝୁଅ।

ସନ୍ତୁଳାରେ ଦେଲେ ଛୁଙ୍କ,

ଶହେଟି ତମର ହୋଇବ ଛିଙ୍କ,

ପଖାଳକୁ ହେବ ମନ ରଙ୍କ।

ସକାଳୁ ସଅଳ ଉଠି,

ଘର ବାରି ଲିପେ ଗୋବର ମାଠି,

ବୋହୂ ଏମେତେ ଅଛି କୋଉଠି !

ଶାଶୁ ପାଦଧୁଆ ପାଣି,

ନିତି ପିଏ ଗଙ୍ଗା ଜଳଟି ମଣି,

ଛାଡ,ଗଙ୍ଗା ନର୍ଦ୍ଦମା ହେଲାଣି।

ସେବା,ଗାଈଗୋରୁଙ୍କର,

କରିବାରେ ସମସରି କେ ତାର ,

ଆହା ! କେଡେ ଭାଗ୍ୟ ପଦିଆର।


Rate this content
Log in