STORYMIRROR

Kulamani Sarangi

Others

4  

Kulamani Sarangi

Others

ପଲ୍ଲୀ କବିତା

ପଲ୍ଲୀ କବିତା

1 min
391

ଶଜନା ଗଛରେ ଶାରୀ ବସିଥିଲା

ଉଡିଗଲା ଝାଡି ପର

ଚୁମ୍ବକକୁ ଟାଣେ ଲୁହା ଲୋ ସଙ୍ଗାତ

ପୀରତି ଟାଣେ ନାଗର।


ପାରି ଦେଇଥିଲି ଶୁଖିଲା ଲଙ୍କା ଲୋ

ବାରିଆଡେ ଗଲା ତିନ୍ତି,

ବାହ୍ମୁଣ ଘରର ଝୁଅକୁ ରସିଚି

ବାଇଗିଣିଆର ତନ୍ତୀ।


ଜୁଆଡିକି ଟାଣେ ଜୁଆ ଲୋ ସଙ୍ଗାତ *

ଥନକୁ କଅଁଳ ଛୁଆ,

ଆଖିକି ଟାଣଇ ନାଗରୀ ନୂଆ ଲୋ,

ଭାଟି ଟାଣଇ ମଦୁଆ।**


ତନ୍ତିଘର ପୁଅ ଘୋଡା ମଦୁଆ ଲୋ

ସେରେନ୍ତା ବାହ୍ମୁଣ ଝୁଅ,#

ଦି'ଦିନି ପୀରତି ନିଶା ଛାଡିଗଲେ,

ପିଠିରେ ଖୋଳିବ କୂଅ।


କେନ୍ଦେରା ବାଜିଲା ଗାଆଁ ମୁଣ୍ଡରେ ଲୋ

ଗୀତ ଗାଇଲାଣି ଯୋଗୀ,

ଗୋବିନ୍ଦ ଚନ୍ଦର ବାହା ‌ହବ,ଆଉ

ହେବ ନାହିଁ ବଇରାଗୀ। 


କହି ଦେଉଥାଇ ପରକୁ ସିନା ଲୋ

ଘର ପାଇଁ ବୁଦ୍ଧି କାଇଁ ?

ସକେଇ ସକେଇ ବାହ୍ମୁଣ କାନ୍ଦୁଚି

କରିବ ମଦୁଆ ଜୋଇଁ।


ମହକିଲା ଗଙ୍ଗଶିଉଳି ସଙ୍ଗାତ

କାଲିକି ଯିବ ମଉଳି,

ଝିଅ,ଘିଅ ଘରେ ସାଇତି ନହୁଏ

ବାସେ ରହଣିଆ ଭଳି।


ସଦେଇ ଝିଅଟି ଶେଯ ମୁତୁରୀ ଲୋ

ହେଁସ ଅଭାବ ବଜାରେ,

ଦିକୋଡି ହେଁସ ତା ମାଆ ସଜାଡିଚି

ଦବ ପୁଆଣି ସଜରେ।


* ଜୁଆଡି...ଜୁଆ ଖେଳାଳି

** ଭାଟି..ମଦ ବିକ୍ରି ହେଉଥିବା ସ୍ଥାନ

#ସେରେନ୍ତା..ଗେଲବସର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍