STORYMIRROR

Satyabati Swain

Others

4  

Satyabati Swain

Others

ଫୁଲେଇ ପ୍ରେମିକା

ଫୁଲେଇ ପ୍ରେମିକା

1 min
211

ସକାଳୁ ଉଠି ପ୍ରତ୍ୟେହ

ପ୍ରଥମେ ଅଣ୍ଡାଳେ ତାକୁ

ସେ ମୋତେ ଅଧୀର ପାଗଳ କରେ

ତା ଭିତରେ ହଜିବାକୁ ଆଖିମାରେ

ମାରାତ୍ମକ ତା ଦେହ ଗନ୍ଧ

କଲବଲ କରି ମନକୁ ହତ୍ୟା କରିବାର

ଯଥେଷ୍ଟ ସାମର୍ଥ୍ୟ ତା ଦେହେ ଦେହେ

ସେ ମୋତେ ଖେଳାଏ

ନଚାଏ ଆଙ୍ଗୁଠି ଅଗରେ

କେଜାଣି ତାକୁ ଦେଲେ ଦେଖି

ଏତେ ଶିହରଣ କାହିଁକି ଖେଳେ ମୋ ଭିତରେ !


ସେ ଖୋଲା ଖୋଲି ଚ୍ୟାଲେଞ୍ଜ କରେ ମୋତେ

ଓଃ କି ଉତ୍ସୃଙ୍ଖଳ ତା ଚାହାଣି !

ଲୋଭନୀୟ ତା ଅଙ୍ଗ ଦେଖି

ବେହୋସ୍ ହୋଇଯାଏ ମୁଁ

ଉପରକୁ ହାତ ଟେକି

ଭିଡି ମୋଡି ହୋଇ

ତାକୁ ଟିକେ ଛୁଇଁବାକୁ

ଅଦମ୍ୟ ଇଚ୍ଛା

ମୋ ଭିତରେ

ବାଘ ପରି ହିଂସ୍ର ହୋଇ ଉଠନ୍ତି।


ସେ ଖୁବ୍ ଗରମ ହୋଇଯାଏ

ମୁଁ ବି ତା ସାନିନ୍ଦ୍ୟ ଆଶାରେ

ଆକ୍ତାମାକ୍ତା ହୁଏ

ରାତିର ଗନ୍ଧିଆ ମୁହଁ ପଖାଳି

ଫ୍ରେସ୍ ହୋଇ

ଦୁଇ ପାପୁଲି ଘଷି

ବସି ପଡେ ତା ଆଗରେ।


ସେ ମୂର୍କି ମୂର୍କି ହସେ

ଅଥୟ ମୋ ଦେହ ମନ

ଭିତରେ ଗରମ ହେଉଥାଏ

ତାକୁ ଜାବୁଡି ଧରିବାକୁ

ସେ ଗରମରୁ ଆସ୍ତେ

ଥଣ୍ଡା ହେଉଥାଏ

ମୁଁ ଥଣ୍ଡାରୁ ପ୍ରବଳ ଗରମ

ଆଉ ଅପେକ୍ଷା ସହ୍ୟ ହୁଏ ନାହିଁ

ଝାମ୍ପି ପଡ଼େ ତା ଉପରେ

ଟିକେ ନରମ ଛୁଆଁ ଦିଏ

ତାକୁ ମୋ ଗରମ ଓଠରେ।


ବାସ୍ ! 

ସେ ମୋ ଭିତରେ ଅଜାଡି ଦିଏ

ତା ସର୍ବସ୍ବ

ମୁଁ ଲୁଟି ନିଏ ଅକାତରେ

ତା ଦେହ ମନ

ତାପରେ ସହଜ ହୋଇ ଯାଏ

ଦିନ ଚର୍ଯ୍ୟା ମୋର।


ଫାଜିଲିଟା 

ଏମିତି ଖୋଲା ଖୋଲି

କଲବଲ କରନ୍ତି!

କେତେ ମନ ନେଇ ଖେଳୁ କେଜାଣି !

ବୁଝିଲୁ ! ଏମିତି ଜୀବନ ତମାମ

ପ୍ରତିଦିନ ସକାଳ ସନ୍ଧ୍ୟାରେ

ହଜୁଥିବି ତୋରି ପ୍ରେମରେ

ମୋ ଫୁଲେଇ ପ୍ରେମିକା

କପେ ଚା ।


Rate this content
Log in