STORYMIRROR

Sahadev Behera

Others

4  

Sahadev Behera

Others

ଫରକ୍ ପଡେନା

ଫରକ୍ ପଡେନା

1 min
396


ମେଞ୍ଚା ମେଞ୍ଚା ଟଙ୍କା ଗଦା,

ଆଉ ଧନ ସମ୍ପତ୍ତି,

କୋଠାବାଡିର ପ୍ରାଚୁର୍ଯ୍ୟ ଭିତରେ

ବୁଡି ରହିବାର ଆନନ୍ଦ

ମୋ ପାଇଁ କିଛି ଫରକ ପଡେନା  ll 


ମୁଁ ସ୍ଥିର, ସ୍ଥବିର, ନିର୍ବାକ,ନିସ୍ତେଜ

କେବଳ ଚାହିଁ ରହିଥାଏ,

ସେହି ଏକ ଅନାଦାର,ହତାଦାର

ଧୃବସତ୍ୟ ମୁହୂର୍ତ୍ତକୁ,

ଯେଉଁଠି ନା ଥାଏ ଶ୍ବାସ ନା ପ୍ରଶ୍ବାସ 

କୋଳ ଶୂନ୍ୟ କରି କୋଳେଇ ନେବାର

ଯନ୍ତ୍ରଣାହୀନ ଜୀବନକୁ ll 


ମୋ ପାଇଁ ଫରକ୍ ପଡେନା

ତମ ହସ ,ତମ କାନ୍ଦ, ତମ ସେ ତୂଳୀତଳ୍ପ

ମଖମଲ ଗଜଦନ୍ତ ପଲଙ୍କର ମୂଲାୟମ୍ ପରଶ

ଫରକ୍ ପଡେନା କହିଥିବା  

କେତେ ସତ କେତେ ମିଛ ,

ଜୀବନର ଚଲାପଥେ ଝୁଣ୍ଟିବା ଆଗରୁ 

ଅବା ଚାଲୁ ଚାଲୁ 

ଅଙ୍କା ବଙ୍କା ସେ ମସୃଣ ପଥରେ ll


ଫରକ୍ ମୁଁ ବୁଝେନା 

ଖ୍ୟାତି,ପ୍ରତିପତ୍ତି, ଅର୍ଜିତ ସମ୍ପତ୍ତି 

ଆଉ ବ୍ୟାଙ୍କବାଲାନ୍ସର ହିସାବ, 

ନଭଶ୍ଚୁମ୍ବି ଅଟ୍ଟାଳିକାର

ଅନ୍ତ ଅବା ବାହ୍ୟ ଚାକଚକ୍ୟ

ମାଳ ମାଳ ଚାକର , ଦରୁଆନ୍ ll


ମୋ ପାଇଁ ଫରକ୍ ପଡେନା 

ସଭା ସମିତିରେ ଅଳଙ୍କୃତ ଉଚ୍ଚାସନ,

ପଦ ପଦବୀ, ମାନସମ୍ମାନ 

ହେଉ ସେ ମେଡାଲ୍ ଅବା ଉପଢୌକନ ll


ଫରକ୍ ପଡେନା ଆୟୁଷର ମାପକାଠି 

ବାଲ୍ୟ, ବୃଦ୍ଧ ଅବା ଯୌବନ 

ଅବା ପାଇଥିବା 

ଉଚ୍ଚ ଶିକ୍ଷାରେ ବିଶ୍ବବିଦ୍ୟାଳୟରୁ

ପୁଳା ପୁଳା ପ୍ରମାଣ ପତ୍ର ll 


ଅଡୁଆ ସୂତାରୁ ଜୀବନର ଖିଅଟିଏ,

କାହାର ଆଘାତରେ କ୍ଷତାକ୍ତ ହୋଇ 

ମିଞ୍ଜି ମିଞ୍ଜି ଜଳିବାର ପ୍ରୟାସ, 

ଏଠିସବୁ ମିଥ୍ୟା, ପ୍ରହେଳିକା,ପ୍ରଭଞ୍ଚନା ପରି

ତଥାପି ସେ ସବୁର ଫରକ୍ ମୁଁ ବୁଝେନା ll 


ଫରକ୍ ବୁଝେନା,

ହଜାଇ ଥିବା ଇତିହାସର ପାଖୁଡା 

ଅବା ପାଇଥିବା ଭାଇବନ୍ଧୁ,  

ପିଲାଛୁଆ ଆତ୍ମୀୟସ୍ବଜନ

ସବୁ ପରେ ମଧ୍ଯ ଧାଇଁବାକୁ ହୁଏ 

ଜୀବନର ମରୁମରିଚିକା ପଛେ 

ଢୋକେ ପିଇ ଦଣ୍ଡେ ଜିଇଁବାକୁ 

ମଣିଷଟିଏ ପରି ll 


ଫରକ୍ ପଡେନ ମୋ ପାଇଁ 

ସବୁତ ଏକା ପରି ଲାଗେ

ରାଜା ଆଉ ପ୍ରଜା  

ହେଉ ଅମୀର କି  ଫକୀର

ସେ କଫିନ୍ ହେଉ ଅବା କବର,

କୋଳେ ମୁଁ କୋଳେଇ ନିଏ 

ସବୁ ଶବକୁ ଆଦରି

ସବୁ ଶବକୁ ଆଦରି ll


Rate this content
Log in