ଫୋନି ତୁମେ ଚାଲିଗଲାପରେ
ଫୋନି ତୁମେ ଚାଲିଗଲାପରେ
ଆକାଶଟା ଆଜି ସମ୍ପୁର୍ଣ୍ଣ ନିର୍ମଳ
ତୁମେ ଚାଲିଗଲା ପରେ
ବାଟୋଇ ଚେହେରା ବାରି ହୋଇପଡ଼େ
ତୋଫା ଜହ୍ନ ଆଲୁଅରେ ।
ନର,ପଶୁ,ପକ୍ଷୀ,କୀଟ,ପତଙ୍ଗାଦି
ବ୍ୟସ୍ତ,ବିବ୍ରତ ଆଜି
ଉଦଣ୍ଡି ଫୋନିର ଔଧତ୍ୟ ତାଣ୍ଡବେ
ବସା ତ ଯାଇଛି ଭାଜି ।
ମହଲ ମଲ୍ଲୀକା ଗ୍ରାମ୍ୟ କୁଟୀରରେ
ତୁମରି ସୁଦୟା ବଳେ
ମହଲେ ଖଚିତ ବହୁମୂଲ୍ୟ ଦ୍ରବ୍ୟ
ଲୋଟିଲା ଧରଣୀ ପରେ ।
ସୁନସାନ ଆଜି ସହର ଲାଗଇ
ଭାଙ୍ଗି ଦୋକାନ ବଜାର
ପାଣି, ପବନ ଓ ବିଜୁଳି ପାଇଁକି
ଗାଁ ରେ ଜମିଛି ଭିଡ଼ ।
ସମୁଦ୍ରକୁ ଶଙ୍ଖେ ସରକାରୀ ଯୋଜନା
ପାଏ ବାସହିନ ଲୋକ
ପଶୁପକ୍ଷୀ ବାସ କିଏସେ ଗଢ଼ିବ
କିଏ ବା ଦବ ସାହସ ।
କେତେ କିଏ ମଲେ କେତେ ଯେ ହଜିଲେ
ଚାଲେ ହିସାବ ନିକାସ
ଚୁଡା,ଗୁଡ଼ ଆଉ ପଲିଥିନ ବଣ୍ଟା
ଲେଖା ହେବ ଇତିହାସ ।
ଫେରି ଆସି ଦେଖ ତୁମ ପରାକ୍ରମ
କେହ୍ନେ ଗ୍ରାସିଛ ଓଡିଶା
ଚୁଲି,ଚାଳ ଭାଙ୍ଗି କି ଯଶ ଅର୍ଜିଲ
ଅନ୍ୟକୁ ଦେଇ ଦୁର୍ଦ୍ଦଶା ।
କା'ର ବୃହସ୍ପତି ପଞ୍ଚମେ ରହିଲେ
କିଏ ଶନି, ରାହୁ ମେଳେ
ଗରିବଙ୍କ ଭାଗ୍ୟ ତୁମ ଔଧତ୍ୟରୁ
ରହୁଛି ପଥର ତଳେ ।
