ପହିଲି ବର୍ଷାର ମହକ
ପହିଲି ବର୍ଷାର ମହକ
ଆକାଶରେ ଭାସେ ମେଘ ମାଳ ମାଳ
ବିଜୁଳିର ସାଥେ ଲୁଚକାଳି ଖେଳ
ମନ ପ୍ରାଣ ଶିହରିତ
ବର୍ଷା ଆଗମନୀ ସ୍ବାଗତ ସଂଗୀତ
ଧରାପୃଷ୍ଠ ମୁଖରିତ ।।
ମେଘର ମହ୍ଲାର ମଧୁର ମୂର୍ଚ୍ଛନା
ମୃଦୁ ସମୀରଣ କରେ ଆନମନା
ମାଟି ଲାଗେ ବିମଣ୍ଡିତା
ଅଗରୁ ଚନ୍ଦନ ବାସେ ମହମହ
ଫୁଲ ଫଳେ ସୁଶୋଭିତା ।।
ଚନ୍ଦନ ଚର୍ଚ୍ଚିତ ମାଟିରୁ ଆକାଶ
ଶୀତଳ ପ୍ରଲେପ କୋମଳ ସୁବାସ
ସ୍ବପ୍ନସିକ୍ତ ତନୁ ମନ
ସନ୍ତାପିତ ପ୍ରାଣେ କୁହୁକୁହୁ ତାନ
ପୁଷ୍ପିତ ହୁଏ ଜୀବନ ।।
ଝର ଝର ଝରେ ଅମୃତର ଧାର
କଳାମେଘ ଦେଖି ନାଚଇ ମୟୂର
ପୃଥ୍ବୀ ହୁଏ ମଧୁମୁୟ
ଉଦାସ ହୃଦୟ ଝୁମି ଝୁମି ନାଚେ
ଛନ୍ଦ ତୋଳେ ତାଳ ଲୟ ।।
ସ୍ନିଗ୍ଧ ତପୋବନେ ରିମଝିମ୍ ସୁର
ଆନନ୍ଦେ ବିଭୋର ପଲ୍ଲୀରୁ ସହର
ପଲ୍ଲବିତ ତରୁଲତା
ଉଷ୍ଣ ମରୁଭୂମି ସିକ୍ତ ସିଂଚନରେ
ଲାଭକରେ ମାଦକତା ।।
ସବୁଜ ବନାନୀ ଉଲ୍ଲସିତ ପ୍ରାଣ
ମୁଗ୍ଧ ମହକରେ ହୃଦୟ ସ୍ପନ୍ଦନ
ଚମକେ ଜ୍ୟୋତିର ଧାର
ପହିଲି ବର୍ଷାର କଅଁଳ ପରଶ
ମଧୁ ଢାଳେ ନିରନ୍ତର ।।
