ଫଗୁଣ ର ହାଟ
ଫଗୁଣ ର ହାଟ
ଗୁଣର ଦେହେ ଫୁଲଙ୍କର ହାଟ
ପଲାସ ଲଗାଏ ନିଆଁ
ହୃଦୟ ବଣରେ ଜଳାଏ ବସନ୍ତ
ପ୍ରୀତିର ବିଷାକ୍ତ ନିଆଁ।
କଅଁଳ ଦେହରେ ଯୌବନର ହାଟ
ରୂପର ପସରା ମେଲେ
ଗୋଲାପି ଗୋଲାପି ସେଓ ପରି ଗାଲେ
ହସର ଭଉଁରି ଖେଳେ।
ହଳଦୀ ବସନ୍ତ ରଙ୍ଗ ଗୁରୁଗୁରୁ
ସାଜି ଆସେ ନୂଆଁ ବୋହୂ
କୋକିଳ ଗାଏ ତା ମଧୁର ରାଗିଣୀ
ଆମ୍ବ ବଉଳରେ ମହୁ।
ଶୋରିଷ ଫୁଲିଆ ହଳଦି ପାଟଳି
ପିନ୍ଧେ ଯେବେ ନଈ ତୁଠ
ଝୁମୁରୁ ଝୁମୁରୁ ଘୁମୁରା ବାଜଇ
ଗାଈ ବାଛୁରୀ ଙ୍କ ନାଟ।
ସରଗି ବଉଳ ଚାର ବଉଳରେ
ମହକିତ ହୁଏ ବଣ
ମଧୁମକ୍ଷୀ ସଙ୍ଗେ ଭଅଁରଙ୍କ ଦଳ
ସ୍ବତଃ ହୁଏ ଆକର୍ଷଣ।
ଶିମୁଲି ହସଇ ନାଲି ନାଲି ଓଠେ
କୃଷ୍ଣଚୂଡା ହୁଏ ସଜ
ବସନ୍ତର ପରେ ତାହାର ରାଜତ୍ବ
ହେବ ଏବେ ସଜବାଜ।
ବିବାହ ପରବ ଢୋଲ ନିଶାଣରେ
ହୁଲୁସ୍ତୁଲ ଗାଁ ଦାଣ୍ଡ
ମନରେ ଉଠଇ ଉଲ୍ଲାସ ଲହର
ଖୁସିର ଫୁଟଇ କଢ।
ମଳୟ ପରଶ ଭରେ ଉନ୍ମାଦନା
ବହୁଥାଏ ଧୀର ବାଆ
ଫୁଲର ଅତରେ ଭିଜା ଭିଜା ହୋଇ
ମନ ହୁଏ ଜୁଆରିଆ।
