ଫେରି ଆସନ୍ତା କି ମୋ ପିଲାଦିନ
ଫେରି ଆସନ୍ତା କି ମୋ ପିଲାଦିନ
ଆସନ୍ତା କି ଫେରି ମୋ ପିଲାଦିନ
ବାରବାର କେତେ ପଡଇମନ,
ବୋଉକୋଳେ ମୁଁହିଁ ଥାଆନ୍ତିବସି
ଖେଳୁଥାନ୍ତି ମୁଁ ଯେ ଟୁଉକୁମୁସି ,
ମାମୁଁ କାଖେ ବସି ବୁଲନ୍ତି ଦାଣ୍ଡ
ମାଇଁ ଖୋଉଥାନ୍ତେ ଲବଣୀ ଖଣ୍ଡ,
ମାଉସିଏ ମୋତେ କରନ୍ତେ ଗେଲ
ଆଇବୁଢୀ ଘଷିଦିଅନ୍ତା ତେଲ,
ବାଡ଼ି ବରଗଛୁ ତୋଳନ୍ତି କୋଳି
ସାଙ୍ଗମେଳେ ରହି ଖେଳନ୍ତି ଦୋଳି,
ଫୁଲ ବଗିଚାରୁ ତୋଳନ୍ତି ଫୁଲ
ପ୍ରଜାପତି ସଂଗେ ହୁଅନ୍ତି ଗେଲ ,
ଅଗଣାରେ ବସି ଜହ୍ନରାତିରେ
ତାରା ଗଣୁଥାନ୍ତି ସାଙ୍ଗ ମେଳରେ,
ଦିଦି ସଂଗେ ବସି ଖାଆନ୍ତିଭାତ
ଚାନ୍ଦାମାମୁଙ୍କୁ ମୁଁ ବଢାନ୍ତିହାତ ,
ଭାଇ ପିଠିରେ ମୁଁ ହୁଅନ୍ତି ଘୋଡା
ସଭିଙ୍କମେଳ ରେ ହୁଅନ୍ତି ଲୋଡ଼ା,
ଅଜା ଆସି ମୋତେ କୋଳେ ନିଅଁନ୍ତେ
କଅଁଳ ଗାଲରେ ଚୁମା ଦିଅନ୍ତେ ,
ସୁରୁଜ ଉଇଁଲେ ନଈ ହିଡରେ
ଖରା ପୁଅଂନ୍ତି ମୁଁ ସାଙ୍ଗ ମେଳରେ,
ମୁଢିମୁଆଁ ଭଜା ବାଦାମ ସାଙ୍ଗେ
ଖାଇ ବୁଲୁଥାନ୍ତି ମୁଁ ନାନା ରଙ୍ଗେ ,
କକାଙ୍କ ବେକରେ ପଡନ୍ତି ଝୁଲି
ଖୁଡି ଡ଼ାକିଲେ ମୁଁ ଆସନ୍ତି ହଲି,
ସରାଗରେ ବଡ଼ ମାଆ ନିଅଂନ୍ତା
କାଖେ ଜାକି ଡାଲିଭାତ ଖୁଆନ୍ତା ,
ଖାଇସାରି ବୁଢ଼ୀଆଇ କୋଳରେ
ଗପ ଶୁଣୁଥାଆନ୍ତି ବଡ ଭୋଳରେ,
ବୁଢାଅଜାଙ୍କର ବଂକୁଲି ବାଡ଼ି
ଧରି ଚାଲୁଥାନ୍ତି ମୁଁ ଥିରିଥିରି ,
ପଟାଖଡୀ ଧରି ପଢି ବସନ୍ତି
କାଉ ବଗ ନାନା ଚିତ୍ର ଆଙ୍କନ୍ତି,
ଅ ଆ କ ଖ ସବୁ ପାଠ ଶିଖନ୍ତି
ଧାଡିଧାଡି କେତେ କଥା ଲେଖନ୍ତି ,
ପିନ୍ଧିଥାନ୍ତି ମୁଁ ଯେ ନୁଆଁ ବସନ
କାକରା ଖାଆନ୍ତି ଦଶ'ରା ଦିନ,
କୁଆଁର ପୁନେଇଁ ଦିନ ରାତିରେ
ତାସ ଖେଳୁଥାନ୍ତି ବନ୍ଧୁ ମେଳରେ ,
କାର୍ତ୍ତିକ ମାସର ସୋମବାରରେ
ହବିଷ୍ୟ ଖାଆନ୍ତି ଆଇ ସାଙ୍ଗରେ,
ଦୀପାବଳୀ ଦିନ ଫୁଟାନ୍ତି ବାଣ
ଫେରି ଆସନ୍ତା କି ମୋ ପିଲାଦିନ ,
ଶ୍ରୀପଞ୍ଚମୀ ଦିନ ପିଲାଙ୍କମେଳ
ଦାଣ୍ଡ ବୁଲନ୍ତି ମୁଁ ଧରି ଶ୍ରୀଫଳ
ଫଗୁଣ ମାସରେ ହୋଲିଯାତରା
କାହ୍ନାସାଙ୍ଗେ ହୋଲି ଖେଳନ୍ତି ପରା ,
ଚଇତରେ ପୁଣି ଦଣ୍ଡପରବ
ଯାତରା ଦେଖାଇ କିଏ ସେ ନେବ?
ବାବାବୋଉ ପରା ନାହାନ୍ତି ଏବେ
ତାଙ୍କ ସଙ୍ଗେ ଯାଉ ଥିଲି ମୁଁ ସେବେ ,
ରଜରେ ଖାଆନ୍ତି ଏଣ୍ଡୁରିପିଠା
ପିଠା ଖାଇଖାଇ ହୁଅନ୍ତି ଚିଟା,
ବାଡିଗଛ ଡ଼ାଳେ ଖେଳନ୍ତି ଦୋଳି
ପିଲେ ମୋତେ ଦେଖି ମାରନ୍ତେ ତାଳି ,
ଯେତେକଥା ସବୁ ପଡଇ ମନ
ହେଇ କାଲି ପରି ଲାଗେ ସପନ,
ଗାଡି ଗଲା ପରି ଯାଉଛି ଦିନ
ଫେରିଆସନ୍ତା କି ସେ ପିଲାଦିନ ।
