ପାଉନି ମୁଁ ପଥ
ପାଉନି ମୁଁ ପଥ
1 min
270
ପଖାଳି ପୟର ପାଇଲା ଧୀବର
କେତେ କୋଟି ଜନ୍ମ ଫଳ
ସରୋଜ ରଜରେ ପାପ ଧୋଇ ଗଲେ
କଳୁଷ ନହୁଏ କାଳ।
ଅଙ୍ଗେ ଦେଇ ବାସ ବାସିଲା କୁବୁଜା
ସଉଭାଗ୍ୟ ରୂପବତୀ
ପାଆନ୍ତେ ଆଶ୍ରୟ ଶ୍ରୀପଦେ ତୋହର
ବିଭୀଷଣ ବିଷ୍ଣୁ ଗତି।
ସଖା କରି ତୋତେ ପାଞ୍ଚାଳୀ ନିରତେ
କେତେ ଲଜ୍ଜା ନିବାରିଲା
ପାଇସେ ଅମ୍ବୁଜ ପଦକୁ ଯେ ଧ୍ରୁବ
ବିଷ୍ଣୁ ପଦ ପାଇଗଲା।
ମୁହିଁ ମୂଢମତୀ କାହିଁ ବା ଭକତି
ସଜ୍ଜଳ କରିବି ସ୍ମୃତି
କଜ୍ଜ୍ଵଳ କମଳେ ନୟନ ବିହ୍ଵଳେ
ସପନ ମୋ ଅନୁଭୁତି।
ଅଚିହ୍ନା ଅଜଣା ବାସର ଭାବନା
ମନ ମୋର ବେଳା ଭୁଇଁ
ପାଉନି ମୁଁ ପଥ ହେବାକୁ ନିରତ
ନିରନ୍ତର ଭାବୁଥାଇ ।
ପ୍ରଶାନ୍ତ କୁମାର ହୋତା
