ପାଶବିକତାର ମୌସୁମୀ ପ୍ରବାହ
ପାଶବିକତାର ମୌସୁମୀ ପ୍ରବାହ
ପାଶବିକତାର
ମୌସୁମୀ ପ୍ରବାହ
ତୀବ୍ର ଆଜି ସମାଜରେ
ସ୍ନିଗ୍ଧ ଶୀତଳ
ପୁଣ୍ୟ ଛାୟାତଳ
ଅପସୃତ ମହୀତଳେ ।
ପାପର ପ୍ଳାବନେ
ସିକ୍ତ ମାନବର
ଜ୍ଞାନ ,ବୁଦ୍ଧି ଓ ବିବେକ,
କାମାନ୍ଧ ପୁରୁଷ ଚିହ୍ନେନି
କେ ଜାୟା କିଏ ବା ଭଗିନୀ
ହୁଏନି ଦୟା ଉଦ୍ରେକ ।
ହିଂସ୍ର ବନ୍ୟ ପଶୁ
ମନେ ଜାଗେ ଦୟା
ଜାଣିପାରୁଛି ସେ
କିଏ ଶିଶୁ ଆଉ
କିଏ ତା ଶିକାର ଯୋଗ୍ୟ,
କାମାନ୍ଧ ପୁରୁଷ ବାସନା ପ୍ରଭାବେ
ଭୁଲିଯାଏ ଆଜି
କିଏ ତାର ଉପଭୋଗ୍ୟ ।
ନଗ୍ନ ଆଦିମତା
ଆପଣେଇ ନିଏ
ଆଜି ପଥଭ୍ରଷ୍ଟ ଯୁବା,
ଇନ୍ଦ୍ରିୟ ଲାଳସା
ନିୟନ୍ତ୍ରଣହୀନ
କ୍ଷୀଣଆଶା ସୁଧୁରିବା ।
ରାଜରାସ୍ତା ପରେ
ନାରୀ ବଳାତ୍କାର
ଜନତା ମୂକ ଦର୍ଶକ
ନିରୁପାୟ ପତି
ଚିତ୍କାର କରଇ
ଶୁଭେନି କାହାକୁ ଡାକ ।
ବିପଦ ବେଳରେ
ଦେଖି ନଦେଖିଲା ପ୍ରାୟ
କିଛି ଲୋକ ଏଠି
ସାହାଯ୍ୟର ହାତ ଦୂରେ ଥାଉ
ଚାଲି ଯାଇଥାନ୍ତି ବାଟ କାଟି ।
ବଳାତ୍କାର ପରେ ଜୀବନ୍ତ ଦଗ୍ଧ
ହେଉଅଛି ନାରୀ ଏଠି
ବଳାତ୍କାରୀ ବି ସ୍ୱାଧୀନ ଏଠାରେ
ନାରୀ ସୁରକ୍ଷା କେଉଁଠି ।
ଫେରିଯିବା ଆମେ
ଆଉଥରେ କ'ଣ
ସେହି ଆଦିମ ଯୁଗକୁ
ନଗ୍ନ ପଶୁ ସମ ଆଚରଣ
ଶିଖାଇବା ଉତ୍ତରପିଢିକୁ ।
