ପାର୍ବଣ ବେଢାରେ ଗାଁ ଦାଣ୍ଡର ସ୍ୱପ୍
ପାର୍ବଣ ବେଢାରେ ଗାଁ ଦାଣ୍ଡର ସ୍ୱପ୍
ମେଲାଣି ନେଲାଣି କେବେଠୁଁ ମୌସୁମୀ
ହଁ ନାହିଁର ବର୍ଷାଛିଟା ଜଞ୍ଜାଳରୁ
ମୁକ୍ତ ଏବେ ଧରିତ୍ରୀ ।
ଅଶିଣ ଖରାର ଖଟା ମିଠା ତାତିରେ
ଝୁଣ୍ଟି ପଡୁଥିବା ଶୁଭ୍ର ମେଘ ଖଣ୍ଡକୁ
ଲିପି ପୋଛି ପରିଚ୍ଛନ୍ନ କଲାଣି
ଶାରଦୀୟ ସକାଳ ॥
ବିସ୍ତୀର୍ଣ୍ଣ ଆକାଶ କଳଙ୍କ ହୀନ; ପାଉଁଶ ବର୍ଣ୍ଣ
ତମାମ ମାଟିରେ ପୂଜାର ପ୍ଳାବନ; ପାର୍ବଣର ଚିହ୍ନ
କାଉର କା କା ରାବରେ ଶେଯ ଛାଡି
ଅଳସ ଭାଙ୍ଗିଲା ପାର୍ବଣର ପ୍ରଭାତ ।
ଅସଜଡା ଦେହକୁ ସନ୍ତର୍ପଣରେ ସଜାଡି
ପରିତୃପ୍ତ ମନରେ ଦେଖାଇଲା ନିଜର
ଅଭିସାରୀ ମୁହଁ, ପୁରବୀକୁ
ସିନ୍ଦୁରା ପୁର୍ବାକାଶର ଗବାକ୍ଷ ଫାଙ୍କରୁ ।
ଚିକ୍ ମିକ୍ ରୂପରେ ଝିଲ୍ ମିଲ୍ ଛାପରେ
ଚୁମି ଝୁମି ଗାଇ ପାଲଟିଛି
ବସୁନ୍ଧରା ଶ୍ୟାମଳ ॥
ନଈରେ ଭଉଁରୀ ଖେଳିଲା ପରି
ଅଲାଜୁକି କୁହୁଡି ମୁହଁରେ ଧୂମାୟିତ ଚକ୍ରବ୍ୟୁହ
ଗାଁ ଦାଣ୍ଡ ଉଲ୍ଲସିତ,ମୁଖରିତ ମହମହ ।
ଘର ଚଟିଆର ଚିଂ ଚିଂ,କପୋତର ଫଡ୍ ଫଡ୍
କୁକ୍କୁଟର କିତ୍ କିତ୍,ହଂସିନୀର କକ୍ କକ୍ ଗୀତିକାରେ
ବୁଲା କୁକୁରର ଭୋ ଭୋ,ଛାଗର ମେଁ ମେଁ
ମେଷର ଭେ ଭେ,ବାଛୁରୀର ହମା ହମା ଲତିକାରେ
ନୂଆ ବୋହୂର କାଖରେ ମଥାରେ କଳସ ଥୋପା
ଅଣ୍ଟାହଲା ନହକା ଚାଲିରେ
ଗାଈ ଚରାଳି,ଘାସ କଟାଳିର
ବେସୁରା ସୁରର ଚହକା ବୋଲିରେ
ଗୋଟାପଣ ଛନ୍ଦମୟ,ଗୀତିମୟ; ଦାଣ୍ଡଧୂଳି ଅହରହ।
ଜ୍ୟୋତ୍ସ୍ନାର ମଧୁ ପିଇ ଚପଳା କଇଁ ଯେମିତି
ରାତିରେ ବି ଚଳଚଞ୍ଚଳ ॥
ଗାଁ ଶେଷ ମୁଣ୍ଡରେ ପୂଜା ମଣ୍ଡପ; ଦଶହରା ଚାଳ
ତପନର ତେଜରେ ତେଜିୟାନ ଲୋକଙ୍କ ଗହଳ ।
ଭକ୍ତିପୂତ ନୈବେଦ୍ୟରେ ଅବତରିଛନ୍ତି ଦୁର୍ଗତି ନାଶିନୀ
ସିଂହବାହିନୀ, ମା’ ଦଶଭୂଜା ଦୁର୍ଗା ସ୍ୱରୂପିଣୀ
କରିବେ ପାପକୁ ଦମନ,ମହିଷାସୁରକୁ ନିଧନ
ହେବ ପୂଣ୍ୟର ସ୍ଥାପନ,ଉଡିବ ସତ୍ୟ ଧର୍ମର ତୋରଣ
ସ୍ଵୟଂ ଘୋଷିତ ଈଶ୍ୱର ରୂପି ରାବଣକୁ
ମି ଠୁ ଜାଲେ ବନ୍ଧା ମହିଷାସୁରକୁ
ପୋଡି ଜାଳି ଧ୍ଵଂସ କରିବେ ଜାଣ ।
ଶିଶୁକୁ ଶିକ୍ଷା; ନାରୀକୁ ସୁରକ୍ଷା
ନାରୀ ପୁରୁଷରେ ସମାନତା ରକ୍ଷା
ଜରାଶ୍ରମ ନ ହେଉ
ବୟସ ସାୟାହ୍ନେ ଅନ୍ତିମ ଦୀକ୍ଷା
ପରକୀୟା ପ୍ରୀତି ଚୁଲିକି ଯାଉ
ମା'ର ସମ୍ମାନ ଅକ୍ଷୁର୍ଣ୍ଣ ଭିକ୍ଷା ।
ମାର୍ମିକ ଆବେଗର ତାତ୍ତ୍ୱିକ ସଂଦେଶକୁ
ଜଗତସାରା ଚହଟାଇ, ମହକାଇ
ବିଦାୟ ନେଲେ ମା ଜଗତ୍ ଜନନୀ ।
ଶ୍ୟାମଳିମା ଧରଣୀ, ସବୁଜିମା ବନାନୀ
ଗୋଲାପି ସ୍ୱପ୍ନର ମଧୁରିମା ତଟିନୀ
ଅପଲକ ଦୃଷ୍ଟିରେ ଅନାଇଛନ୍ତି
ମା'ର ଫେରନ୍ତା ବାଟକୁ ।
ହୃଦୟରେ ଫୁଟାଇ ଅସ୍ତମିତ ପାର୍ବଣର
ପ୍ରଗଳ୍ଭା କମଳ ॥
ଚାହିଁ ବସିଛି ବି ଗାଁ ଦାଣ୍ଡ
କେବେ ଫେରିବ ଗୋଧୂଳି ଲଗ୍ନ ।
ଚହଲା ଧୂଳିକୁ ଦେହରେ ବୋଳି
ଶୁଣିବ ନୀଡ ଫେରନ୍ତା ପକ୍ଷୀର ଚିହ୍ନା କୂଜନ
ଘର ବାହୁଡା ପଶୁର ପରିଚିତ ସ୍ୱର
ଗାଈଆଳ ଟୋକାର ଲେଉଟାଣି ସିଟି ବାଦନ
ଆହୁରିବି ଶୁଣିବ ଶାନ୍ତି,ମୈତ୍ରୀ,ଭକ୍ତି,ପ୍ରୀତିର
ଅଚିହ୍ନା,ଅପରିଚିତ କୁହୁ କୁହୁ ଗୁଞ୍ଜନ ।
ଯେମିତି କଦମ୍ବ ମୂଳର ଛାଇକୁ ଜାବୁଡି
କାହ୍ନା ବଇଁଶୀର ସ୍ୱନ ଶୁଣିବାକୁ
ରାଧା ମନ ବିକଳ ॥
ହିତେନ୍ଦ୍ର ନାଥ ମହାନ୍ତି
ଆଞ୍ଚଳିକ କାର୍ଯ୍ୟାଳୟ
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ
ଭୁବନେଶ୍ୱର
