ପାଦ
ପାଦ
1 min
220
ଶରୀରର ଭାର ବହୁଅଛି ନିତି
ତେଜି ମାନ ଅଭିମାନ |
ବିଚରଣ କରେ ଏ ଜୀବ ସଂସାରେ
ସାହାର ଦୁଇଟି ଚରଣ ||୧||
ପାଦ ଦୁଇଟି ନଥିଲେ ହୁଅଇ
ଜୀବନ ତ ଦୟନୀୟ |
ନିନ୍ଦନୀୟ ସିଏ କଦାପି ନୁହଁଇ
ସର୍ବଦା ତ ବନ୍ଦନୀୟ ||୨||
ବିରାଟ ଶରୀର ଉତ୍ପତ୍ତି ହୋଇଲା
ଅଦ୍ଭୂତ ରହସ୍ୟମୟ |
ସଚରାଚର ପ୍ରାଣୀଙ୍କ ଶରଣ
ହୋଇଲା ଚରଣ ଦ୍ୱୟ ||୩||
ପ୍ରଭୂଙ୍କ ମୁଖରୁ ନିସୃତ ହୁଅଇ
ଦିବ୍ୟ ଅମୃତ ବଚନ |
ପାଦରୁ ନିର୍ଝର ହୁଅଇ ଗଙ୍ଗା
କରଇ ଧରଣୀ ପାବନ ||୪||
ଗୌତମ ପତ୍ନୀ ଅଭିଶାପ ଗ୍ରସ୍ତ
ହୋଇ ରହିଲେ ପାଷାଣ |
ବ୍ରହ୍ମପଦ ସ୍ପର୍ଶେ ଦିବ୍ୟରୂପା ହୋଇ
ଅହଲ୍ୟା ପାଇଲେ ଜୀବନ ||୫||
ଗୁରୁଜନଙ୍କର ଚରଣ ମାର୍ଗରେ
ଉର୍ଜା ହୁଏ ନିର୍ଗମନ |
ଚରଣେ ମସ୍ତକ ନମନ କରିଲେ
ହୁଏ ସେ ଉର୍ଜାର ଗ୍ରହଣ ||୬||
