ପ
ପ
"ପ"ର ପଛରେ ବୁଲନ୍ତି ସଭିଏଁ
"ପ"ଟି ହେଉଛି ସବୁରି ପ୍ରିୟ
ମିଳଇ ଜୀବନେ ଯାହା, ସେ ବି "ପ"
ନମିଳେ ବି ଯାହା ଯେତେ ଚେଷ୍ଟା କଲେ
"ପ"ରେ ତାହାକୁ କରନ୍ତି କ୍ରୟ ।
"ପ" ଅକ୍ଷରଟି ଅତ୍ୟନ୍ତ ଜରୁରୀ
ଯାହା ପାଇଁ ସଂସାର ଗାଡି ଚାଲଇ
ଆରମ୍ଭ ବି "ପ" ଅନ୍ତେ ସେଇ "ପ"
ତାକୁ ଛାଡି ବ୍ୟକ୍ତି ଶୂନ୍ୟ ହୁଅଇ ।
"ପ" ପାଇଁ ସମାଜ କ୍ଷତି ସହଇ
ମୋକ୍ଷ ପ୍ରାପ୍ତି ମଧ୍ୟ "ପ"ରେ ମିଳଇ ।
"ପ" ରେ ପତ୍ନୀ ଓ "ପ"ରେ ପତି
ଦୁହେଁ ମିଶି ଗଢନ୍ତି ନୂତନ ଜାତି ।
"ପ"ରେ ପୁତ୍ର ଓ "ପ"ରେ ପୁତ୍ରୀ
ତାଙ୍କ ବିନା ଜୀବନେ ଆସେନା ସକାଳ କି କଟେନା ରାତ୍ରି ।
"ପ"ରେ ଆରମ୍ଭ ପରିବାର ପରା
ପ୍ରେମ ବି ଆରମ୍ଭ ହୁଏ "ପ"ରୁ
ପଦବୀ , ପ୍ରତିଷ୍ଠା , ପ୍ରଶଂସା , ପ୍ରେରଣା
"ପ"ର ଧାରଣ ଜୀବନାବସ୍ଥାରୁ ।
ପରୀକ୍ଷା ଆରମ୍ଭ "ପ" ଅକ୍ଷରରୁ
ଯଦ୍ଵାରା ମନୁଷ୍ୟ ଆଗକୁ ଧାଏଁ
ସେଇ ପରୀକ୍ଷାରେ କୃତକାର୍ଯ୍ୟ ହେଲେ
ପଦ , ମର୍ଯ୍ୟାଦା ସବୁ ସେ ପାଏ ।
ପରୀକ୍ଷା ଦିଅନ୍ତେ ମନୁଷ୍ୟ ନିଜର
ପଦବୀକୁ ତାର ବଢ଼ାଇଥାଏ
"ପ"ରେ ପବ୍ଲିସିଟି କରି ସେ ପଦକୁ
ପତ୍ରିକା ମାଧ୍ୟମେ ସମ୍ମାନ ପାଏ ।
ପଇସା ଆରମ୍ଭ "ପ" ଅକ୍ଷରରୁ
ନୀଚ କାମ ବ୍ୟକ୍ତି ଯା ପାଇଁ କରେ
ପଇସା ପାଇଁ କି ସମ୍ପର୍କକୁ ଭୁଲି
ଭାଇ କୁଟ କରି ଭାଇକୁ ମାରେ ।
"ପ" ପଛରେ ତ ଧାଇଁ ଧାଇଁ ଦିନେ
"ପ"ରେ ପାପ ବି କରଇ ସିଏ
ଶେଷରେ ପାପର ଭାରାକୁ ମୁଣ୍ଡାଇ
"ପ"ରେ ତାହାର ପତନ ହୁଏ ।
"ପ"ରେ ଅନ୍ତେ ସେ ପଶ୍ଚାତାପ କରି
ଛଟପଟ ହୁଏ ଅନୁତାପରେ
ପଇସା ,ପଦବୀ ପଛେ ଧାଇଁ ପ୍ରାଣୀ
ଶେଷରେ ପଡ଼ଇ ଯାଇଁ ନର୍କରେ ।
ବେଳ ଥାଉଁ ଯଦି ପ୍ରାଣୀ ବୁଝିଯିବ
ପାପ କର୍ମ ଠାରୁ ହେବ ନିବୃତ୍ତ
"ପ"ରେ ପୁଣ୍ୟର ମାର୍ଗରେ ଚାଲିବ
ପ୍ରେମରେ ଭରିବ ତାହାର ଚିତ୍ତ ।
ପୁଣ୍ୟ କର୍ମ ବଳେ ମର୍ତ୍ତ୍ୟେ ସୁଖେ କାଟି
ଶେଷରେ ବୈକୁଣ୍ଠ ଧାମ କୁ ଯିବ
"ପ" ରେ ଆରମ୍ଭ ପରମାତ୍ମାଙ୍କର
ଆଶୀର୍ବାଦ ପାଇ ମୋକ୍ଷ ଲଭିବ ।
ସୁପଥ ବି "ପ" କୁପଥ ବି "ପ"
ଭାବିଚିନ୍ତି ନିଜ ମାର୍ଗ ବାଛିବ
"ପ" ରେ ପ୍ରଣାମ କରୁଛି ସଭିଙ୍କୁ
ଭୁଲ ଥିଲେ ମତେ କ୍ଷମା କରିବ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର ,ମଧୁପାଟଣା
