STORYMIRROR

Santosh Kumar Nayak

Children Stories

3  

Santosh Kumar Nayak

Children Stories

ଓଡିଆ ପିଠା

ଓଡିଆ ପିଠା

1 min
11.5K


ସାରା ଜଗତରେ ଯେତେକ ମିଠା

ସବୁଠୁ ସୁଆଦ ଓଡିଆ ପିଠା

ଆରିସା କାକରା ଚକୁଳି ଚିତଉ

କ୍ଷୀରି ସରପୁଳି ମଣ୍ଡା ଗଇଁଠା ।

ଚାଉଳ ଗୁଡରେ ଗଢା ଆରିସା

କୁଣିଆ ଆସିଲେ ହୁଏ ପରଶା

ବଣିକଙ୍କଠାରୁ ୟାକୁ ଖାଇ ଦିନେ

କରିଥିଲେ ବୁଦ୍ଧ ବଡ ପ୍ରଶଂସା ।

ମଇଦା ଚିନିର ଜନ୍ତୁଣି କରି

ନଡିଆ କୋରାକୁ ସେଥିରେ ଭରି

ଗରମ ତେଲ ବା ଘିଅରେ ଛାଣିଲେ

କାକରା ପିଠାଟି ହୁଏ ତିଆରି ।

ବିରି ବଟା ଲୁଣ ଚାଉଳ ଚୁନା

ସବୁକୁ ମିଶାଇ ଚକୁଳି ବନା

ପାଟିକୁ ସୁଆଦ ପେଟକୁ ବି ଭଲ

ଖାଇଲେ ଦି ପଟ ଭୋକ ହୁଏନା ।

ଶ୍ରାବଣ ମାସର ଉଆଁସ ଦିନ

ଚିତଉ ପିଠାରେ ଓଡିଆ ମନ

କ୍ଷେତରେ ଗେଣ୍ଡାକୁ ଖୁଆଇଲେ ପିଠା

କାଟେନାହିଁ ସିଏ ଚାଷୀ ଚରଣ ।

ଓଡିଆ ଘରର ଚାଉଳ କ୍ଷୀରି

କ୍ଷୀର ଚିନି ମିଶି ହୁଏ ତିଆରି

କାଜୁ କିସମିସ୍ ଗୁଜୁରାତି ଦେଲେ

ମହମହ ବାସ ଯାଏ ବାହାରି ।

ସରପୁଳି ପରା ସରରୁ ଜାତ

ହାତେ ଗଢୁଥିଲେ ଯଶୋଦା ମାତ

ସେଥିପାଇଁ ପରା ଦିପହର ଧୂପେ

ନିଇତି ଖାଆନ୍ତି ଜଗତନାଥ ।

ମଣ୍ଡା ଗଇଁଠାରେ ସୁଆଦ ଭରା

ପାଟିରୁ ବୋହିବ ଲାଳର ଧାରା

ଦେଖି ଚାହିଁ କରି ଖାଇବ ଏହାକୁ

ନ ହେଲେ ଦିଶିବ ଦିନରେ ତରା ।

ଏଇତ ବର୍ଣ୍ଣନା କିଞ୍ଚିତ ମାତ୍ର

ଲେଖିଲେ ହୋଇବ ଗୋଟିଏ ଶାସ୍ତ୍ର

ଓଡିଆ ପିଠାକୁ ଖାଉଥାଅ ପୁଣି

ଗାଉଥାଅ ଗୁଣ ଦିବସରାତ୍ର ।


Rate this content
Log in