ଓଡ଼ିଆ ଜାତିର ପ୍ରାଣ ଦେବତା
ଓଡ଼ିଆ ଜାତିର ପ୍ରାଣ ଦେବତା
ଓଡ଼ିଆର ତୁମେ ଆତ୍ମ-ପରିଚୟ
ଓଡ଼ିଆର ସ୍ୱାଭିମାନ,
ଓଡ଼ିଆ ଜାତିର ହେ ଗର୍ବ-ଗୌରବ
ଓଡ଼ିଆର ଯଶ-ମାନ ।
ଓଡ଼ିଆର ତୁମେ ପ୍ରାଣନ ସ୍ପନ୍ଦନ
ବିଜୟ-ଚନ୍ଦନ ଟୀକା
ଓଡ଼ିଆ ମନର ଆଶା ଓ ଭରଷା
ବିଶ୍ଵାସର ଦୀପ୍ତି ଶିଖା ।
ଓଡ଼ିଆର ଚିନ୍ତା ଚେତନାରେ ତୁମେ
ହସ ଲୁହର ଯେ ସାଥି
ଓଡ଼ିଆର ଜ୍ଞାନ-ଦର୍ଶନରେ ତୁମେ
ନିତ୍ୟ ସୁଧା ପ୍ରେମ-ଭକ୍ତି ।
ଓଡ଼ିଆ ସାହିତ୍ୟେ ତୁମେ ମୁକ୍ତା-ମଣି
ଶାବ୍ଦିକ ଛନ୍ଦ ବିଳାଶ
ଓଡ଼ିଆର ପ୍ରତି ସୃଜନୀରେ ତୁମେ
ଲାଳିତ୍ୟ ମଧୁର ରସ ।
ଓଡ଼ିଆର ତୁମେ ଶରଣ ରକ୍ଷଣ
ଉତ୍କଳ ରାଜାଧିରାଜ
ଓଡ଼ିଆ ଆତ୍ମାର ହେ ନିର୍ବାଣ ଦାତା
ମୋକ୍ଷ ତୁମ ପଦରଜ ।
ଓଡ଼ିଆର ବେଶ ଭୂଷଣରେ ପ୍ରଭୁ
ତୁମ ଶ୍ରୀଅଙ୍ଗ ସଜ୍ଜିତ
ଓଡ଼ିଆ ହାତର ଭୋଜନକୁ ଖାଇ
ନିତ୍ୟ ତୁମେ ଉଲ୍ଲସିତ ।
ଓଡ଼ିଆ ରାଇଜେ କରିଅଛ ଘର
ଓଡ଼ିଆର ପ୍ରଭୁ ହୋଇ
ଓଡ଼ିଆ ମାଟିକୁ କରିଛ ପବିତ୍ର
ଆହେ ବ୍ରହ୍ମାଣ୍ଡ ଗୋସାଇଁ ।
ଓଡ଼ିଆର ତୁମେ ଜୀବନ୍ତ ଠାକୁର
ଜାତିର ଜୀବନ-ଗାଥା
ଓଡ଼ିଆ ଅତୀତ ଇତିହାସ ସାକ୍ଷୀ
କହିଯାଏ ତୁମ କଥା ।
ଓଡ଼ିଆର ଇଷ୍ଟ, ଜୀବନ ଆଧାର
ନାଥ ତୁମେ ନାରାୟଣ
ଓଡ଼ିଆର ମାନ ରଖିବା ପାଇଁ ହେ
କଲ କାଞ୍ଚି ଅଭିଯାନ ।
ଓଡ଼ିଆ ଜାତିକୁ ଶଙ୍ଖରେ ପୁରାଇ
ରଖ ଚକ୍ର ଆଢ଼ୁଆଳେ
ଓଡ଼ିଆର ପ୍ରାଣ ନିତ୍ୟ ପାଉ ସ୍ଥାନ
ତୁମ ଚରଣ କମଳେ।
ଓଡ଼ିଆ ମୁଁ ଜଣେ ଧନ୍ୟ ହୋଇଅଛି
ଓଡ଼ିଶାରେ ହୋଇ ଜାତ
ଓଡ଼ିଆର ପ୍ରିୟତମ ଜଗନ୍ନାଥ
ତୁମ ପାଦେ ପ୍ରଣିପାତ ।
ଓଡ଼ିଆ ଜାତିର ପ୍ରାଣର ଦେବତା
କରୁଛି ଏହି ପ୍ରାର୍ଥନା
ଓଡ଼ିଆ ମାଟିରେ ନିତ୍ୟ ଉଡୁ଼ଥାଉ
(ତୁମ) ପତିତପାବନ ବାନା ।
ରଚନା :- ବିଜୟ କେତନ ସାହୁ
