ନୂତନ ସକାଳ
ନୂତନ ସକାଳ
1 min
116
କେତେ ଆନନ୍ଦ ର ଲହରୀ ଆସିଛି
ଜୀବନ ସାଗର କୂଳେ,
ମର୍ତ୍ତ୍ୟରେ ଦେଖିଛି ଅଳକାପୁରୀ କୁ
ଜୀବନ ର ଯାତ୍ରା ବେଳେ l
ଅମରାବତୀ କୁ ରଖିଛି ଦୈତ୍ୟ
ଆଜି ନିଜ କବଳରେ,
ହେଲେ ଜାଣିଥାଅ ଏହା କ୍ଷଣସ୍ଥାୟୀ,
ଅତୀତ ପ୍ରମାଣ କରେ l
ଉତ୍ତପ୍ତ ନିଦାଘେ ଅସ୍ତ ବ୍ୟସ୍ତ ଯଦି
ହୁଏ ଧରଣୀ ର ହିଆ,
ଆସେ ମୌସୁମୀ ଠିକ୍ ପରେ ପରେ
ଶୀତଳ କରେ ତା' କାୟା l
ସୁଖ ଚିରସ୍ଥାୟୀ ନହୋଇଛି ଯଦି
ଦୁଃଖ କି ହୋଇବ ସ୍ଥାୟୀ,
ଅଧର୍ଯ୍ୟ ନହୋଇ ଅପେକ୍ଷା କରିବା
ନୂତନ ସକାଳ ପାଇଁ l
ହାରି ଯାଇଥିବା ମଣିଷଟି ପୁଣି
ଜିତିବ ଆନନ୍ଦେ ମାତି,
ଅପସରି ଯିବ ଝଡ଼ର ତାଣ୍ଡବ
ଦୁଃଖ ଅନ୍ଧାର ର ରାତି l