ନୂତନ ସକାଳ
ନୂତନ ସକାଳ
କର୍ମମୟ ଏହୁ ଦୁନିଆ ଭାଇରେ
ସମସ୍ୟା ଆସେ ସକାଳୁ
ସାରି ନିତ୍ୟକର୍ମ ପ୍ରଭୁଙ୍କ ପୂଜନ
କର୍ତ୍ତବ୍ୟ ଅଟେ ସକାଳୁ।
ମନୁଷ୍ୟ କର୍ତ୍ତବ୍ୟ ଦେବତା ପୂଜନ
ନୁହେଁ ଟି ଏହୁ ସମସ୍ୟା
ହେବ କରିବାକୁ କର୍ତ୍ତବ୍ୟ ମନୁଷ୍ୟେ
ପ୍ରଭୁ ହିଁ ଆମ ଭରସା।
ଜଳପାନ କରି କର୍ମ ପ୍ରତି ଚିନ୍ତା
ଅଟେ ଗୃହ କାର୍ଯ୍ୟ ବଡ଼
ତାର ଆବଶ୍ୟକ ପୂରଣ ନିମନ୍ତେ
ମନ ହୁଏ ହଡ଼ବଡ଼।
କରିଲେ ପୂରଣ ଗୃହ ଆବଶ୍ୟକ
ରୋଜଗାର ପାଇଁ ଚିନ୍ତା
ଯିବାକୁ ପଡେଟି କର୍ମକ୍ଷେତ୍ରେ ପୁଣି
ଆଣେ ପୁଣି ସେହୁ ଚିନ୍ତା।
ଆଠ ଘଣ୍ଟା ତହିଁ ରହିବାକୁ ହୁଏ
ଜୀବନ ଜୀବିକା ପାଇଁ
ନହେଲେ ଭାଇରେ ଗୃହ ନ ଚଳିବ
ଅଟେ ଗୃହ ଧର୍ମ ପାଇଁ।
ନିତ୍ୟେ କର୍ମକ୍ଷେତ୍ରେ ସମସ୍ୟା ଅପାର
ଡିଜିଟାଲ ଯୁଗ ପରା
କାର୍ଯ୍ୟ ହୁଏ ସବୁ ତାହାରି ମାଧ୍ୟମେ
ନୂଆ ଭାରତଟି ପରା।
ନାହି ହିଁ ବିଶ୍ରାମ ତିଳେ ମାତ୍ର କାହିଁ
ନୂଆ ନୂଆ କାର୍ଯ୍ୟ ତହିଁ
ଆନନ୍ଦ ଖୁସିରେ କରୁ ଥାଏ ତାହା
କର୍ତ୍ତବ୍ୟ ହିଁ ବଡ଼ ଯହିଁ।
ଛୁଟି ହୋଇ ଘରେ ଆସିଲେ କାର୍ଯ୍ୟରୁ
କୁହେ ପତ୍ନୀ ମୃଦୁ ଭାଷା
ଚା କପ ଦେଇଣ ବସେଟି ପାଖରେ
କୁହେଟି ଗୃହ ସମସ୍ୟା।
ଔଷଧ ସରିଛି ବାପା ଓ ମାଆଙ୍କ
ନିଶ୍ଚୟ ଆଣିବ କାଲି
ଦେଲେ ନିମନ୍ତ୍ରଣ ମିତ୍ର ପରା ତୁମ
କହିଛନ୍ତି ଯିବ ବୋଲି।
ସମସ୍ୟା ସକାଳୁ ସଞ୍ଜ ପର୍ଯ୍ୟନ୍ତ
ନୂତନ ନୂତନ ଯହିଁ
ରହି କର୍ମପଥେ ନିବାରଣ ତାର
କରିବା ପୂରଣ ତହିଁ।
ଏହୁତ ଜୀବନ ଈଶ୍ୱରଙ୍କ ସୃଷ୍ଟି
ସମସ୍ୟା ଏଠି ସମସ୍ୟା
କର୍ତ୍ତବ୍ୟ ଜୀବନେ ପୂରଣ କରିବା
ଆସୁଟି ଯେତେ ସମସ୍ୟା।
