ନୂଆଁ ବର୍ଷର ଅନୁଭୂତି
ନୂଆଁ ବର୍ଷର ଅନୁଭୂତି
ଦିନ ବଦଳିଲେ ମାସ ବି ବଦଳେ
ବର୍ଷ ବି ବଦଳିଥାଏ
ସମୟ ସ୍ରୋତରେ ଦିବସ-ରଜନୀ
ପରିବର୍ତ୍ତନ ବି ହୁଏ ।
ଋତୁଚକ୍ର ସହ ପ୍ରକୃତିର ଚିତ୍ର
କ୍ରମରେ ବଦଳିଥାଏ
ସମୟାନୁକ୍ରମେ ସକଳପ୍ରାଣୀଙ୍କ
ସ୍ଥିତି ବି ବଦଳିଯାଏ ।
ଜଳସ୍ରୋତ ପରି ମାନବର ଆୟୁ
ହୁଏ କାଳ କବଳିତ
ବୟସ ବୃଦ୍ଧିରେ ଆୟୁ କ୍ଷୀଣ ହୁଏ
ସମୟ ଯେ ଅଣାୟତ ।
ବୟସାନୁଯାୟୀ ଥାଏ ଅନୁଭୁତି
ପ୍ରତିବ୍ଯକ୍ତି ବିଶେଷର
ଅଙ୍ଗେନିଭା କଥା ମାନସପଟଳେ
ସ୍ମୃତି ହୋଇଥାଏ ତା'ର ।
ଅତୀତର ବହୁ ପୁରୁଣା ଘଟଣା
ସୁଖଦୁଃଖ ଅନୁଭୂତି
ତିକ୍ତ-ମଧୁର ନୂଆଁ ଅନୁଭବ
ହୁଏ ସ୍ମୃତି ଓ ବିସ୍ମୃତି ।
ବର୍ତ୍ତମାନର ନୂତନ ଅନୁଭବ
ହୁଅଇ ତାହା ଅତୀତ
ଇତି ବୃତାନ୍ତ ଯେ ହୁଏ ଇତିହାସ
ଭାବିଲେ ଲାଗଇ କଷ୍ଟ ।
ନୂତନ ବର୍ଷର ଅୟମାରମ୍ଭ ଯେ
ହେବ ନବ ଅନୁଭବ
ଅନୁଭୂତି ଯାହା ନୁହେଁ ସ୍ଵତନ୍ତ୍ରତା
ଭବିଷ୍ୟତେ ଯାହା ହେବ ।
ଆଶା-ଆକାଂକ୍ଷାର ନବ ଉଦ୍ଦୀପନା
ମନେ ଆଣିଛି ବିଶ୍ବାସ
ତଥାପି ମନରୁ କରୋନା ସଙ୍କଟ
ମନକୁ କରୁଛି ତ୍ରାସ ।
ନାହିଁ ସୁଖ ଅବା ଦୁଃଖ ଅନୁଭବ
ହୋଇଛି ନବ ବର୍ଷରେ
ବିଗତର ସବୁ ତିକ୍ତ ଅନୁଭୂତି
ନ ରହୁ କାହା ମନରେ ।
ସ୍ମୃତି ବିସ୍ମୃତିର ବହୁ ଅନୁଭୁତି
ଦେଉ ଦୁଃଖ ଅବା ସୁଖ
ତଥାପି ମନୁଷ୍ୟ ଜୀବନଯାତ୍ରରେ
ନ ହେଉ କେବେ ବିମୁଖ ।
ସଂସାର ପାଦପେ ସୁଖ-ଦୁଃଖ ନାମେ
ଫଳିଅଛି ଦୁଇ ଫଳ
ସୁଖର ଫଳଟି ଅତୀବ ମଧୁର
ପିତା ଲାଗେ ଦୁଃଖ ଫଳ ।
ବିଧିଙ୍କ ନିର୍ଦ୍ଦେଶେ କର୍ମ ଅନୁସାରେ
ଉଭୟ ଭୁଞ୍ଜଇ ନର
ଯେଉଁ ଅନୁଭୁତି ହୁଏ ଯେତେବେଳେ
ତାହାହିଁ ଶ୍ରେୟ ଯେ ତା'ର ।
ନୂତନ ବର୍ଷର ନୂଆଁ ଅନୁଭୁତି
ଦେଉ ସମସ୍ତଙ୍କୁ ଖୁସି
ଅନୁଭବ କରି ସୁଖ ଅନୁଭୂତି
ପ୍ରସନ୍ନ ହୁଅନ୍ତୁ ହସି ।
