STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

ନୂଆବର୍ଷ ! ସ୍ବାଗତ ତୁମକୁ

ନୂଆବର୍ଷ ! ସ୍ବାଗତ ତୁମକୁ

1 min
228



ସକାଳ ସୂରୁଯ ବୁଣଇ ମୁରୁଜ

ଝରିପଡେ ମୋତି ହୀରା

ଲକ୍ଷେ ସପନକୁ ଫୁଲରେ ସଜାଇ

ହସିଲାଣି ସସାଗରା ।।


ଫୁଲର ଦୋଳିରେ ଝୁଲିଲାଣି ଦିନ

ମଧୁପ ଗୁଂଜନ ଭରା

ପ୍ରୀତିର ପୁଲକେ ଶିହରିତ ମହୀ

ସୁବର୍ଣ୍ଣର ମଧୁଝରା ।।


କାକର ବିନ୍ଦୁରେ ଢଳଢଳ ଛବି

ବାଜିଲାଣି ଶୁଭ ଶଙ୍ଖ

ସରଗ ରାଇଜୁ ପୀୟୂଷର ଧାର

ପ୍ରବାହିତ ଯେତେ ସୁଖ ।।


ଯେତେ କପଟତା,ହିଂସା,ବ୍ୟଭିଚାର

ରକ୍ତର ହୋଲି ଖେଳ

ଲିଭିଲାଣି ଦୁଃଖ ଚାନ୍ଦିନୀ ଚମକ

ଆସିଲାଣି ଶୁଭ ବେଳ ।।

ଯେତକ ଅସ୍ମିତା ରୁକ୍ଷ ଅନୁଭବ

ଅପସରି ଯାଉ ଭବେ

ତନ୍ମୟର ଧାରା ବିକଶିତ ହେଉ

ସପ୍ତରଂଗ ଖେଳୁ ନଭେ ।।


ଶୀତ ସମୀରଣ ଗାଉ ଆବାହନୀ

ପ୍ରଗତିର ମହା ସ୍ତବ

ମାନବିକତର ମଧୁର ମହକେ

ଫୁଟିଉଠୁ ଭାତୃ ଭାବ ।।


ସାମ୍ୟ,ମୁକ୍ତି,ମୈତ୍ରୀ,ସମୃଦ୍ଧିର ମନ୍ତ୍ରେ

ଉଦ୍ଭାସିତ ହେଉ ଧରା

ଶାନ୍ତି,ସ୍ଥିରତାର ଉଡୁ ବୈଜୟନ୍ତୀ

ବହୁ ପ୍ରେମ ଫଲ୍ଗୁ ଧାରା ।।

ହେ ନୂଆ ବରଷ ! କରୁଛି ସ୍ବାଗତ

ଆସ ତୁମେ ଧରା ପୃଷ୍ଠେ

ସୁପ୍ତ ଚେତନାର ଜାଗରଣ ହେଉ

ହସ ଫୁଟୁ ଶୁଷ୍କ ଓଠେ ।।

ମାଟି ଅଗଣାରେ ଖୁସିର ରୋଷଣୀ

ଜଳୁଥାଉ ଝଲମଲ

ବାସ୍ନାୟିତ ହେଉ ସୁଗନ୍ଧ କସ୍ତୁରୀ

ଫୁଟୁ ବିବେକର ଫୁଲ ।।


ବିଲୀନ ହେଉ ସବୁ ଅସହିଷ୍ଣୁତା

ପାପ ରାଶି ହେଉ କ୍ଷୟ

ଅଧର୍ମ, ଅନୀତି ଦୂର ହେଉ ଯେତେ

ଧର୍ମ ର ହେଉ ଜୟ ।।


ଶରତ କୁମାର ଦାସ


Rate this content
Log in