ନୂଆବର୍ଷ-୨୦ ୨୧
ନୂଆବର୍ଷ-୨୦ ୨୧
ନୂଆବର୍ଷ ଆସିଛି
ବ୍ୟବସ୍ଥାର ଅକ୍ଟୋପସୀ ବନ୍ଧନରେ ବିବେକ ଦଂଶନରେ
ଅସହାୟତାର ନିତ୍ୟ ନୂତନ ପରିଭାଷାରେ
ଆତ୍ମସମର୍ପଣର ନିର୍ଲଜ ଶୃଙ୍ଗାରରେ ।
ନୂଆ ବର୍ଷ ଆସେ
ଭାରାକ୍ରାନ୍ତ ମଣିଷର ପ୍ରଶାନ୍ତର ପ୍ରଲେପରେ
ଆନନ୍ଦ ଉତ୍ସାହ ଭରା ମଧୁମୟ ପରିବେଶରେ
ସର୍ବମଙ୍ଗଳମ୍ବର ବୀଜ ମନ୍ତ୍ରରେ –
ନୂତନ ଆତିଥେୟତାରେ ।
ନୂଆବର୍ଷ ଆସିଛି।
କୁଢ଼ କୁଢ଼ ଶବଙ୍କ ସମାହାରରେ – ପରବତ ଶେଷକୃତ୍ୟରେ
ଆତ୍ମୀୟଙ୍କ ଅଛୁଆଁ ବାସନ୍ଦ ମନୋଭାବରେ
ସମ୍ପର୍କର ଅଜବ୍ ଅନାବରଣରେ – ସମୀକରଣରେ ।
ନୂଆବର୍ଷ ଆସିଛି
ଲଡାଉନ୍ ଓ ସଟ୍ ଡାଉନର ପୁନଃପୌନିକ ପୃଷ୍ଠଭୂମିରେ
ସଙ୍ଗରୋଧ, ଆବଦ୍ଧାଞ୍ଚଳ ପରି ଅଦ୍ଭୁତପୂର୍ବ ବ୍ୟବସ୍ଥାରେ
ସାମାଜିକ ଦୂରତ୍ୱ ଓ ବିଶୋଧନର ବାଧ୍ୟବାଧକତାରେ ।
ନୂଆବର୍ଷ ଆସିଛି
ଭକ୍ତଶୂନ୍ୟ ରଥଯାତ୍ରା, ଦର୍ଶକ ଶୂନ୍ୟ କ୍ରୀଡ଼ା ପ୍ରତିଯୋଗିତାରେ
ଭକ୍ତଶୂନ୍ୟ ଦଶହରା ଓ ଦୀପାବଳୀରେ
ଭକ୍ତଶୂନ୍ୟ ଦେବାଳୟ ଓ ପ୍ରାର୍ଥନା ପୀଠରେ ।
ନୂଆବର୍ଷ ଆସିଛି
କଟକଣାମୁକ୍ତ ଜୀବନଯାତ୍ରାରେ
ସର୍ବତ୍ର ପରିବ୍ୟାପ୍ତ ଏକ ଖାଁ ଖାଁ ଭାବରେ
ଅଖଣ୍ଡ ନିରବତା ଓ ନିଶୁନ୍ ମାହୋଲିର ରାଜୁତିରେ ।
ନୂଆବର୍ଷ ଆସିଛି
ହୃଦୟର ଅନ୍ତରତମ ପ୍ରଦେଶରୁ
ଭାବନାର ଅଭିବ୍ୟକ୍ତିରେ - କବିତାରେ
ସଦା ସର୍ଜନଶୀଳ କଳ୍ପନା ପ୍ରବଣତାରେ
ସ୍ମୃତି, ଅନୁଭୂତି, ଭାବ ଓ ଚିତ୍ରର ସୁନ୍ଦର ସମ୍ମିଶ୍ରଣରେ ।
ନୂଆବର୍ଷ ଆସିଛି
କରୋନା କବଳିତ ବିଶ୍ଵବାସୀଙ୍କ ଶଙ୍କା, ସଂଶୟ ଓ ଆଶଙ୍କାରେ
ଅନୁଭୂତ ଦୁଃଖ, ଯନ୍ତ୍ରଣା ଓ ଯାତନାରେ
ମୃତ୍ୟୁ ଚେତନା ଜୀବନ୍ତ ହେବାର ଦୁଃଖଦ ବେଳାରେ ।
ନୂଆବର୍ଷ ଆସିଛି
ଚିକିତ୍ସା ବିଜ୍ଞାନର ଜୟଯାତ୍ରାରେ – କରୋନା ଟୀକାରେ
ବିଶ୍ଵ ମହାମାରୀର ବିଶଲ୍ୟକରଣୀରେ
ଜୀଜୀବିଷା ଓ ଜିଜ୍ଞାସାର ପୁନଃ ସଂସ୍ଥାପନରେ ।
