STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ନୂଆ ବର୍ଷ

ନୂଆ ବର୍ଷ

2 mins
185


ସତରେ କ'ଣ ନୂଆବର୍ଷ ନୂଆ ନୂଆ ଲାଗେ

କିଛି ନୂଆ କରି ଗଢି ପାରେ ?

ଗତାନୁଗତିକ ଧାରାସବୁ କ'ଣ 

ବଦଳିଯାଏ ରାତାରାତି ବର୍ଷର ପହିଲି ସ୍ପର୍ଶରେ ?

ଅବା ବଦଳି ଯାଏ କ'ଣ ପୁରୁଣା ଚିତ୍ର ସବୁ ?

ଆଉ ପୃଥିବୀର ଅସଂଲଗ୍ନ ମାନଚିତ୍ର 

ଅକ୍ଷ୍ୟାଂଶ ,ଦ୍ରାଘିମା, ଉତ୍ତର ମେରୁ ,ଦକ୍ଷିଣ ମେରୁ ?


ବଦଳିପାରେ କ'ଣ ମଣିଷର ଆବେଗ ,ଅନୁଭବ 

ଥାକ ଥାକ ହୋଇ ଲଦି ହୋଇରହିଥିବା ଅନୁଭୂତି 

ଆଶା ନିରାଶା ଆଉ କାମନାର ତୀବ୍ର ପ୍ରତିଯୋଗିତା  

ପୁଣି ଯେତକ ଆଦିମ ବର୍ବରତା ?

ଆକାଶ ଛାତିରୁ ଚାନ୍ଦ ତୋଳିବାର ନିଶା 

ଆଉ ତା' ମନ ଭିତରେ ବସାବାନ୍ଧି ରହିଥିବା 

ସକଳ ସ୍ମୃତି ଓ ବିସ୍ମୃତିର ଶକ୍ତ ଶିଳାଖଣ୍ଡ ସବୁ ?


ବଦଳିପାରେ କ'ଣ ସମୁଦ୍ରର ଗୁରୁଗମ୍ଭୀର ଗର୍ଜନ ?

ବେଳାଭୂଇଁର ବୁକୁଥରା ନିର୍ଜନତା ?

ଆଉ ବଦଳିପାରେ କ'ଣ ପବନର ବେଗ 

ପୁଣି ପାହାଡର ନିଶ୍ଚଳତା ?


ବଦଳେନା କିଛି ମୁକୁଳା ଆକାଶର ପ୍ରଶସ୍ଥତା ,

ଜହ୍ନ, ତାରା ଓ ଗ୍ରହ ,ନକ୍ଷତ୍ରଙ୍କ ଗତିପଥ ।

ବଦଳେନା ଶବ୍ଦମାନଙ୍କର ନିଃଶବ୍ଦ କୋଳାହଳ ,

ବଦଳେନା କିଛି ମଧ୍ୟ ଆଗ୍ନେୟଗିରିରୁ ଉଦ୍ଗିରଣ ଲାଭା

ରକ୍ତ,ମାଂସ,ହାଡମାନକର କରୁଣ ବିଳାପ,

ଆତ୍ମ ନିବେଦନ ଓ ଅନ୍ତର୍ଦାହର ନୀରବ ସମର୍ପଣ ।


ବଦଳିଯାଏ କି କେବେ 

ନଈରୁ ନିଦାଘ ଯେତେ ଅସରନ୍ତି ଆଳାପ ?

ମାଟିରୁ ଆକାଶ ଯେତେ ତିକ୍ତ କମ୍ପନ ?

ବଦଳେନା ଶୂନ୍ୟରୁ ମହାଶୂନ୍ୟ ଯେତେ ତୂର୍ଯ୍ୟନାଦ ,

ବର୍ଷା,ବସନ୍ତ ଓ ବୈଶାଖର ଫେଣ୍ଟାଫେଣ୍ଟି ଆବରଣ ତଳେ

କିଛି ନୀରିହ ମହୁମାଛିମାନଙ୍କର

ରକ୍ତ ଜୁଡୁବୁଡୁ କୋମଳ ଦେହର ସିକ୍ତ ସୁଗନ୍ଧ ।


ବରଂ ଏମାନେ ଆହୁରି ତୀବ୍ର ହୋଇ ଉଠନ୍ତି

ସକ୍ରିୟ ଓ ଜୀବନ୍ତ ହୁଅନ୍ତି ପୁନଶ୍ଚ 

ନୂଆବର୍ଷର ପାହାନ୍ତିଆ ତୋଫା ଜହ୍ନ ଆଲୁଅରେ 

ଅବା କଳା ମଚ୍ ମଚ୍ ଅନ୍ଧାରୀ ଗଳିରେ,

ଧରିବାକୁ ହାତ ପାଏନା

ଯେତେ ଚେଷ୍ଟା କଲେ ବି ଚିହ୍ନିବାକୁ ଆଖି ପାଏନା  

ଚକ୍ ଚକ୍ ଦେଖାଯାଆନ୍ତି ଏମାନେ 

ସୂର୍ଯ୍ୟଙ୍କର ସୁନାରଙ୍ଗର ନୂଆ ଆଲୁଅରେ ।


ଯାହା ଖାଲି ବଦଳିଯାଏ କେବଳ

ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟାର ରୂପ ରଙ୍ଗ ଓ

ଟିକ୍ ଟିକ୍ ଶବ୍ଦ କେତୋଟି ମୁହୂର୍ତ୍ତରେ ।

ଆଉ ଯାହା ବଦଳିଯାଏ ନିର୍ଜୀବ କାଗଜରେ

ତିଆରି ହୋଇଥିବା ରଙ୍ଗିନ୍ ପଂଜିକାର ଚକମକ ପୃଷ୍ଠାସବୁ,

ପୁରୁଣାରୂ ଫିଙ୍ଗି ଦିଆଯାଏ ଡଷ୍ଟବିନ୍ କୁ 

ଆଉ ନୂଆଟିକୁ ଟାଙ୍ଗି ଦିଆଯାଏ ସଯତ୍ନେ

ଅନ୍ତତ ହେଉ ପଛେ ବର୍ଷଟିଏ ।


ମନଟିକୁ ବୁଝାଇଦେବାକୁ ହୁଏ ସବୁ ଅନିଚ୍ଛା ସତ୍ତ୍ବେ 

ତାଗିଦ୍ କରିବାକୁ ହୁଏ

ଏକା ଏକା ଶୁନଶାନ ପରିଧି ଭିତରେ ଯେ

ସବୁ ଠିକ୍ ଠାକ୍ ହୋଇଯିବ 

ଥରେ ଖାଲି ନୂଆ ବର୍ଷ ଆସି ଗଲେ ।



Rate this content
Log in