ନୂଆ ବର୍ଷ ଆସୁଛି
ନୂଆ ବର୍ଷ ଆସୁଛି
ନୂଆ ବର୍ଷ ଆସୁଛି
ଆସିବାଟା ତ୍ ସୁନିଶ୍ଚିତ
ରାତି ପାହି ପାହି ଆସୁଛି
ସକାଳର ପ୍ରତିକ୍ଷାରେ ସମସ୍ତେ
ବୁଢୀଆଣୀଟିଏ ବସା ବାନ୍ଧୁଛି
ଇତିହାସର ମଲାଟରେ
ସମ୍ଭାବନାର ଡେଣା କଅଁଳୁଛି
ସାଁବାଳୁଆରୁ ଜନ୍ମ ନେଉଛି ପ୍ରଜାପତିଟିଏ ।
କୁହୁଡିର ଚାଦର ଢାଙ୍କି
ବେଶ ଆରାମେ ଶୋଇଯାଇଛି
ଗାଁ ଆଉ ସହର
ଇନ୍ଦ୍ରଧନୁର ବର୍ଣ୍ଣିଳ ଛାତିରେ
ସୁରାଭର୍ତ୍ତି ଲାଲ ଆକାଶେ
ପ୍ରତିଛବି ଆଙ୍କିହୁଏ ରମ୍ଭା ଆଉ ମେନକାର ।
ଦ୍ଵାରିକା ଯିବାକୁ କୃଷ୍ଣମାନେ ପ୍ରସ୍ତୁତ
ଅସହିଷ୍ଣତାର ଦ୍ଵାହି ଦେଇ
ଛାଡି ନିଜ ଧାମ ଗୋକୁଳ
ସମାଜର ଚକ୍ରବ୍ୟୁହରେ
ଫସିଯାଏ କିନ୍ତୁ ବିଚରା ଅଭିମନ୍ୟୁଟିଏ
ପୁଞ୍ଜିବାଦୀ ସପ୍ତରଥୀଙ୍କ ସାମ୍ନାରେ ।
ଥୁରୁ ଥୁରୁ କମ୍ପନେ ଖୁଁ ଖୁଁ କାଶିକାଶି
ଛିଣ୍ଡା କନ୍ଥାକୁ ଜାବୋଡି
ଜାକି ଜୁକି ରାତି କାଟୁଥିବା ଅଣନିଶ୍ଵାସ ଲୋକଟାର
କଣ ବା ଯାଏ ଆସେ
ତୁମ ଆସିବା ନ ଆସିବାରେ। ।
କିଛି ଫରକ ପଡିବେ ତାକୁ
ଭୋକ ଆଉ ଭେକ ଅଭାବୀ ଅକୁହା କୋହର
ବେଶ ଠେକା ବାନ୍ଧି ଚାଲେ ଅନ୍ଧାର ଗଳିରେ
ଗାଇ ଜୀବନର ଗୀତ
ଭଙ୍ଗା ଚୁଡିର ଲାଲ ଅଶ୍ରୁରେ
ବତରୁଥାଏ ତାର ଉଜୁଡା କ୍ଷେତ ।
ଗଣତନ୍ତ୍ର ଏଠି ଆତ୍ମହତ୍ୟା କରେ
ପ୍ରତିଶ୍ରୁତିର ଦଉଡିରେ
ରକ୍ତମାଂସ ଶୋଷି ଦିନରେ ସ୍ଵପ୍ନ ଦେଖାଏ
ଟେକି ଦିଏ ଦଲାଲ ହାତେ
ମାଳ ମାଳ ଯୋଜନାର ମରିଚିକା ଦେଖାଇ
ଦଉଡାଉ ଥାଏ ସ୍ଵପ୍ନ ମାନଙ୍କୁ
ଚମତ୍କାର ଅଭିନୟ କରିହୁଏ ପରଦା ସାମ୍ନାରେ ।
ଭୋକ ହାତେ ସଦା ହତିଆର
ସାମ୍ୟବାଦର ସଂକଳ୍ପ ନେଇ
ଜଗିବସିରହିଥାଏ ରାତିରାତି
ଏନ୍ତୁଡିଶାଳାରୁ ମଶାଣୀ ଭୁଇଁ ଯାଏଁ
କାଳେ କେହି ଜଣେ ଆସିବ
ତାପାଇଁ ନୂଆ ସକାଳଟିଏ ନେଇ ।
