ନିଶା
ନିଶା
କେତେ ନାରୀର ସିନ୍ଦୁର ଲିଭିଛି
ହିସାବ ରଖିଛି କିଏ
ଯେଉଁ ନାରୀର ଘର ଉଜୁଡିଛି
ଜାଣିଥିବ ଏକା ସିଏ,
ସବୁ ସେଇ ନିଶାପାଇଁ,
ଥରେଯିଏ ତାର ପାଲରେ ପଡିଛି
ତାକୁ ଛାଡି ପାରିନାହିଁ ।
ଏଇ ନିଶାପାଇଁ ସ୍ତ୍ରୀ ଗଲା ଛାଡି
ଉଡ଼ିଗଲା ବିଲ ବାଡ଼ି
ଏଇ ନିଶାପାଇଁ ବାପ ପୁଅର
ଚାଲିଛି ବାଡ଼ିଆ ବାଡ଼ି,
ଟିକିଏ ହୋଇଲେ ଉଣା,
ମଦୁଆର ପାଦ ଇଞ୍ଚେ ଘୁଞ୍ଚେନାହିଁ
ଆପୁଲି ହୁଅଇ ବଣା ।
ନିଶାପାଇଁ ସ୍ୱାମୀ ସ୍ତ୍ରୀକୁ ଛାଡ଼ଇ
ବାପକୁ ଛାଡ଼ଇ ପୁଅ
ପେଟପାଇଁ ଏଠି ଇଜ୍ଜତ ବିକୁଛି
ଘରର ବଢ଼ିଲା ଝିଅ,
ଘରଣୀର ଶଙ୍ଖା ବିକି
ଗେରସ୍ତ ଯାଇଛି ମଦ ଭାଟିକି
ଫେରିବ ଅଧ ରାତିକି ।
ପାନ ବିଡ଼ି ବୋଲି ମଣିବ ନାହିଁ
ସିଏତ ରୋଗର ଖଣି
ଟିବି,କ୍ୟାନସର, ଶ୍ଵାସ ରୋଗରେ
ଟଙ୍କା ଦେଉଥିବ ଗଣି,
ଭୋଗିବ କର୍ମର ଫଳ,
ଦୁଆର ମୁହଁରେ ଯମ ଜଗିଥିବ
ନେବାକୁ ପୁରିଲେ କାଳ ।
