ନିଜର ଲୋକକୁ ଚିହ୍ନ
ନିଜର ଲୋକକୁ ଚିହ୍ନ
ପୁଅ ଜନ୍ମ କରି, ଚିହ୍ନିବ ପୁଅକୁ,
ବିବାହ ସରିଲା ପରେ ।
ବାପା ମାଆ ସେବା, କରିବ କି ନାହିଁ,
ଚାଲିବ କି ପତ୍ନୀ ଡରେ ।।
ଝିଅକୁ ଚିହ୍ନିବ, ଯୌବନ ଆସିଲେ,
କରିବ କି ସାତ ପର ।
ପ୍ରେମ ଲାଳସାରେ, ପ୍ରେମିକ ସାଥିରେ,
କରିବକି ଯାଇ ଘର ।।
ପତିକୁ ଚିହ୍ନିବ, ପତ୍ନୀ ବେମାରରେ,
କେମିତି କରିବ ସେବା ।
ବେମାରିଆ ଦେଖି, କରିବକି ପର,
ପାଇଲେ ସୁନ୍ଦରୀ ହାୱା ।।
ନିଜ ଗରିବିରେ, ଚିହ୍ନିବ ପତ୍ନୀକୁ,
କେମିତି ରଖିବ ମାନ ।
ଧିକ୍କାର ନ କରି, ସାଥି ହୋଇ ଯଦି,
ରଖିବ ପତି ସମ୍ମାନ ।।
ସାଙ୍ଗକୁ ଚିହ୍ନିବ, ବିପଦ ସମୟେ,
ହୋଇ ଥାଏ ଯଦି ସାହା ।
ବିପଦ ଆସିଲେ, ସ୍ୱାର୍ଥପର ସାଙ୍ଗ,
ବଦଳାୟେ ନିଜ କାୟା ।।
ଭାଇକୁ ଚିହ୍ନିବ, ଲଢେଇ ସମୟେ,
ଶତ୍ରୁର ନିପାତ କରି ।
ଧରି ଥାଏ ବାଡ଼ି, ଏକ ମନ ହୋଇ,
ଶତ୍ରୁ ଯାଏ ଭୟେ ଡରି ।।
ଭଗ୍ନୀକୁ ଚିହ୍ନିବ, ଭାଗ ବଣ୍ଟନରେ,
ଭାଇଠୁଁ ନେବକି ଭାଗ ।
ପିତୃ ସମ୍ପତ୍ତିରେ, ଭାଗ ନେଇ ଭଗ୍ନୀ,
କରିବକି ସ୍ୱାର୍ଥ ଯୋଗ ।।
ନିଜ ସନ୍ତାନକୁ, ଚିହ୍ନିବ ବୃଦ୍ଧରେ,
ସେବା କର୍ମ କରୁଥିଲେ ।
ତେବେସିନା ତୁମେ, ନିଜର ଲୋକଙ୍କୁ,
ରଖିବ ହୃଦୟ ଠାରେ ।।