ନିଃସଙ୍ଗ ଜୀବନ
ନିଃସଙ୍ଗ ଜୀବନ
1 min
333
ସପନ ରାଇଜେ ବସିଥିଲି କ୍ଷଣେ
ଦୁଃଖମନେ ନୀଳ ଆକାଶ ତଳେ
କୈଶୋର ବୟସେ ନିଃସଙ୍ଗ ଜୀବନେ
ସାଥି ବିନା ବିରହରେ ମୁଁ ଜଳେ ।
ଜହ୍ନ ଆଲୁଅରେ ନିର୍ଜନ ବେଳାରେ
ଭ୍ରମୁଥିଲା ଏକ ସରଗପରୀ
ମତେ ଦେଖି ଦୂରୁ ପଚାରିଲା କୁହ
କାହିଁକି ବସିଛ ମନକୁ ମାରି ।
ପ୍ରେମିକ ମନଟା ବତୁରି ଉଠିଲା
ବଖାଣି ବସିଲି ମନର କଥା
ନିଇତି ରାତିରେ ଆସିବି ପାଶକୁ
କହିଲା ରଖନା ମନରେ ବ୍ୟଥା ।
ନେଇଯିବି ଆଜି ଅଜଣା ରାଇଜେ
ବୁଲାଇ ଆଣିବି ତୁମକୁ ସାଥି
କହିଦେଇ ହାତ ବଢାଇଲା ଯେବେ
ଆନନ୍ଦରେ ଥରି ଉଠିଲା ଛାତି ।
ହାତ ବଢ଼ାଇଲି ତା'ହାତ ଛୁଇଁବି
କେଉଁଠୁ ଆସିଲା ବାସ୍ତବ ଦୈତ୍ୟ
ବାଧକ ସାଜିଲା ଆମରି ଭିତରେ
ସପନ ଭାଙ୍ଗିଲା ହେଲି ଜାଗ୍ରତ ।
