STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନିଦାଘ

ନିଦାଘ

1 min
12.2K

       

ହିଙ୍ଗୁଳା ଦେବୀ ମା' ଅଗ୍ନିଙ୍କ ପ୍ରତୀକ

               ବିଷୁବ ସଂକ୍ରାନ୍ତି ଲଗନ

ଧରାବତରଣ କରନ୍ତି ନିଦାଘେ

               କରିଥାନ୍ତି ମହୀ ମଣ୍ଡନ  ।।


ତପନ କିରଣେ   ତାପିତ ଜ୍ଵଳନେ

        ଉତପ୍ତ ହୁଅଇ ଧରା

ଅସହ୍ୟ ତା ତାପ    ଶରୀର ଘର୍ମାକ୍ତ

         ଅବିରାମ ଗତି ଧାର

   ଅଙ୍ଗେ ଅଙ୍ଗବାସ ଦିଏ ବଡ ପ୍ରାସ

କଲବଲ ହୁଏ ଜୀବନ...ହିଙ୍ଗୁଳା ଦେବୀ ମା’ଅଗ୍ନିଙ୍କ ପ୍ରତୀକ ।।


ବାଟରେ ବାଟୋଇ      ଖୋଜେ ଗଛ ଛାଇ

       ଦେହ ଖୋଜେ ଥଣ୍ଡା ପବନ

ମାର୍ତ୍ତଣ୍ଡ ପ୍ରଚଣ୍ଡ          କର ଅଗ୍ନି ଝର

         ଅନଳ କଣିକା ସମାନ

     ଜାଳି ପୋଡି ଦିଏ ସୁଷ୍କ ଟାଙ୍ଗରା

ବିକ୍ଷିପ୍ତ ଜନ ଜୀବନ... ‌ହିଙ୍ଗୁଳା ଦେବୀ ମା' ଅଗ୍ନିଙ୍କ ପ୍ରତୀକ।।


ପଶୁ ,ପକ୍ଷୀ କୂଳ       ହୁଅନ୍ତି ଆକୁଳ

      ନିଦାଘ ଯେ ବଡ ଦାରୁଣ  

ନଦ, ନଦୀ, ଝର  ସୁଷ୍କ , ଭୂମଣ୍ଡଳ

   ଲତା,ଦ୍ରୁମଦଳ ବିହୀନ

 ଜଳଇ ବନାନୀ ଲେଲିହାନ ଶିଖା

ନିଅଇ ଅମୂଲ୍ୟ ଜୀବନ...ହିଙ୍ଗୁଳା ଦେବୀ ମା' ଅଗ୍ନିଙ୍କ ପ୍ରତୀକ।। 


ଅତିଷ୍ଠ ଧରିତ୍ରୀ    ଉଷ୍ମକ ପ୍ରଭାବେ

    ଖୋଜଇ ମଳୟ ପବନ  

ବିରୋଚନ ରୌଦ୍ର କିରଣ ପରସେ 

   ରସାଳ ପକ୍ଵ ଫଳ ମାନ 

  ପ୍ରକୃତି ବିତରେ ଅକାତରେ ଭୁଲି

ସହସ୍ରାଂଶୁ ତାପମାନ...ହିଙ୍ଗୁଳା ଦେବୀ ମା' ଅଗ୍ନିଙ୍କ ପ୍ରତୀକ।।


ପଳାଶ ଫୁଲରେ    ଅଗ୍ନିର ସ୍ଫୁଲିଙ୍ଗ

   ବୃକ୍ଷେ କୃଷ୍ଣଚୂଡ଼ା ହସଇ

ଶିମୁଳି, ସୁନାରୀ   ପଷ୍ପେ ଅଟବୀରେ

  ସତେ କି ବା ବହ୍ନି ଜଳଇ 

  ଆରକ୍ତ ରଙ୍ଗର ଆଭାରେ ଅଚଳା

 କରଇ ନିଦାଘ ବନ୍ଦନା... ହିଙ୍ଗୁଳା ଦେବୀ ମା' ଅଗ୍ନିର ପ୍ରତୀକ ।।


ଗୋଳି ଚନ୍ଦନକୁ  ଶ୍ରୀଅଙ୍ଗରେ ବୋଳି

   ରାଇ ସଙ୍ଗେ ରାଧା ମୋହନ

ଚାପେ ଜଳ କେଳି   କରନ୍ତି ମାଧବ

  ମଲ୍ଲୀ ଗଜରାରେ ମଣ୍ଡନ

 ନିୟତି ଚାଳିତ ଋତୁ ଗତିପଥେ 

ହୋଇଥାଏ ନିୟନ୍ତ୍ରଣ...ହିଙ୍ଗୁଳା ଦେବୀ ମା' ଅଗ୍ନିଙ୍କ ପ୍ରତୀକ।।


Rate this content
Log in