ନଦୀର ନାମ- ନାରୀ
ନଦୀର ନାମ- ନାରୀ
ଇଭ୍ ହେଉ କି ଶତରୂପା- ନାରୀଟିଏ ଶତଧା ବିଭକ୍ତ ହୁଏ
କାମନା ଅଗ୍ନିରେ ଜଳି ପୁରୁଷର ପରିପୂର୍ଣ୍ଣ ମାତୃରୂପ ପାଏ ।
ଜନନୀ ଭଗିନୀ ଜାୟା କନ୍ୟା ସାଜେ ବଧୁରୂପ ନିଏ
ସବୁ ରୂପେ ମାତୃତ୍ବ ପ୍ରସରି ପୁରୁଷକୁ ପୂର୍ଣ୍ଣତା ସେ ଦିଏ ।
କୋଠିର ବାଇଜୀ କେବେ ସୋନାଗାଛିର ମନହାରିଣି
ବଣ୍ଡାନାରୀ ବାଳୁତକୁ ବରେ ବାର୍ଦ୍ଧକ୍ୟରେ ଦେବ ଭାତପାଣି !
କର୍ମ-ଜିବୀ ବିଚିତ୍ର ଜୀବନ ଚୁଲି ଚଟୁ ସାଥୀ ଛାଡେ ନାହିଁ
ଉପରିସ୍ଥ କ୍ଷମତା ପାଶର ବନ୍ଧନରୁ ମୁକ୍ତି ଅବା କାହିଁ !
ରାବଣର ମହନୀୟତାରେ ସୀତା ଦିଏ ଅଗନି ପରୀକ୍ଷା
ପାଂଚ ମହାବଳୀ ପତି ଥାଇ ଯାଜ୍ଞସେନୀ ହୁଏ ଭୁଲୁଣ୍ଠିତା ।
ଫୁଲଠୁ କୋମଳ ଫୁଲମତି ପତି ପାଇଁ ସାଜେ ବାରାଂଗନା
ଦେଶ ପାଇଁ ଆତ୍ମବଳି ଦିଏ ଯୁଦ୍ଧେ ଯୋଗ ଦିଏ ବୀରାଂଗନା।
ନାରୀ ନୁହେଁ ସେତ ନାରାୟଣୀ ମହାବିଷ୍ନୁଙ୍କର ନାରୀ ରୂପ
ସବୁଘରେ ଅପହଂଚ ହେବେ ଜାଣି ବିଭୁ ହେଲେ ମାତୃକଳ୍ପ ।
ଝିଅ ବୋଝ ବାପ ବିଦା କରେ ବିପଦରେ ସେହି ସାହାପକ୍ଷ
ରାକ୍ଷୀ ମାନ ରଖେନାହିଁ ଭାଇ ଭଉଣୀ କି ହୁଅନ୍ତା ବିପକ୍ଷ !
ଅର୍ଦ୍ଧାଙ୍ଗିନୀ ଅର୍ଦ୍ଧଭୁକ୍ତ ରହେ ପତିକୁ ମାନି ପରମେଶ୍ଵର
ପାଚିକା ସେବିକା ପ୍ରେମିକା ହୁଏ ଭିନ୍ନ ଭିନ୍ନ ଅବତାର ।
କୋମଳାଙ୍ଗି ପୁଣି ଦୃଢମନା ବିବିଧତା ଆଭୁଷଣ ତା'ର
କର୍ମଜୀବି ପୁରୁଷ ସୁଲଭ ସୁଗୃହିଣୀ ସଜାଡେ ସଂସାର ।
ନଦୀ ନାରୀ - ପର ଉପକାର ପାଇଁ ଗଢା ଜୀବନ ତାଙ୍କର
ପୁରୁଷର ପରଶେ କଳଙ୍କ ଶିରେ ବହେ ବିଧାନ ବିଧିର ।
