ନବଦୁର୍ଗା
ନବଦୁର୍ଗା
ଅମ୍ବରେ ଅପୂର୍ବ ବୀକ୍ଷିତ ବିଭବ
ଶରତେ ଶୀତାଂଶୁ ସୁନ୍ଦର ସାଜି
ତମେ ତାରକିତ ପ୍ରସୂନେ ପ୍ଳାବିତ
ଯାମିନୀ ଯୋଗିନୀ ଆହ୍ଲାଦ ଆଜି ।
ଶାନ୍ତ ସମୀରଣ ଶୁଭ ଶିହରଣ
ବହି ବଧୂବେଶ ରମଣୀ ରସେ
ମେଘମାଳ ମିଶି ଖଗୋଳରୁ ଖସି
ଶିଖରୀ ଶିଖର ବଳୟେ ବସେ ।
କାଶପୁଷ୍ପ କାନ୍ତି ବହୁଳେ ବଢାନ୍ତି
ତଟିନୀର ତଟେ ଶୟଳ ଶୋଭା
ନିରିମଳ ନୀର ନିନାଦେ ନିର୍ଝର
ସୁଗମ ସଙ୍ଗୀତ ଲାଗଇ ଲୋଭା ।
ବିଜନ ବଲ୍ଲରୀ ଝାଡରୁ ଝିଙ୍କାରି
ଆଜ ଅପସରି ସଙ୍କୋଚ ସତେ
ଶ୍ୟାମଳ ଶରତେ ପ୍ରେୟସୀ ପରତେ
କେକୀ କଳରବ ମଉନ ମତେ ।
ଉଠେ ଉପଚାର ଷୋଡଶ ସମ୍ଭାର
ଭୂପୃଷ୍ଠେ ଭବାନୀ ଧରଣୀ ଧାତ୍ରୀ
ଆଶ୍ଵିନେ ଆସର ଅମ୍ବିକା ଅପାର
ଶୁଭେ ଶୈଳପୁତ୍ରୀ ରଞ୍ଜନ୍ତି ରାତ୍ରୀ ।
ନବଦିନେ ନବ ଉଲ୍ଲାସ ଉଦ୍ଭବ
ବିଭିନ୍ନ ବେଶରେ କୃପାକାରିଣୀ
ରୁଦ୍ରାକ୍ଷ ରାଶିରେ କମଣ୍ଡଳୁ କରେ
ଦ୍ବିତୀୟ ଦିବସେ ବ୍ରହ୍ମଚାରିଣୀ ।
ତୃତୀୟେ ତୃପତ
ଚନ୍ଦ୍ରଘଣ୍ଟା ଚିତ୍ତ
ଚତୁର୍ଥ ଚରଣେ କୁଷ୍ମାଣ୍ଡା କାନ୍ତା
କୋଳରେ କୁମର ବାତ୍ସଲ୍ୟେ ବିଭୋର
ପଞ୍ଚମେ ପ୍ରବୀଣା ସେ ସ୍କନ୍ଦମାତା ।
ସ୍ନେହ ସମାଦର ସୁଖର ସାଗର
ଖଡଗ ଖର୍ପର ତ୍ରିଶୂଳ ତୁମ
କାୟା କଳେବରେ ଶକତି ସଞ୍ଚାରେ
ଶକ୍ତି ଶାନ୍ତିସୁଧା ଧ୍ୟାତବ୍ଯ ଧୂମ ।
ଷଷ୍ଠେ ସୀମନ୍ତିନୀ କିବା କାତ୍ୟାୟନୀ
କରନ୍ତି କାରୁଣ୍ୟେ ତ୍ରିପୁର ତ୍ରାଣ
ସପ୍ତମରେ ସତୀ କାୟା କାଳରାତ୍ରୀ
ଦୂଷଣ ଦମନେ ପ୍ରଖର ପ୍ରାଣ ।
ଶଙ୍କର ସୁନ୍ଦରୀ ମାତା ମହାଗୌରୀ
ଅଷ୍ଟମୀ ଆସନ୍ତେ ତୋଷ ତୁମରି
ନବମୀ ନିଶୀଥେ ସିଦ୍ଧିଦାତ୍ରୀ ସତେ
କଲ୍ୟାଣ କାରିଣୀ ଶକ୍ତି ସୁମରି ।
ମା'ଗୋ ମହାମାୟୀ ପାଦୋଦକ ପାଇ
ମହିମା ମଣ୍ଡନେ କହି କଷଣ
କୃତ କରତଳ ପ୍ରସାରି ପ୍ରବଳ
ଆଶିଷ ଆଶାରେ ପାତେ ପ୍ରସନ୍ନ ।
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଦୂରଭାଷ - ୭୯୭୮୧୯୨୨୨୭