STORYMIRROR

Prasanna Kumar Madala

Others

2  

Prasanna Kumar Madala

Others

ନବଦୁର୍ଗା

ନବଦୁର୍ଗା

1 min
14.5K


ଅମ୍ବରେ ଅପୂର୍ବ ବିକ୍ଷିତ ବିଭବ,

ଶରତେ ସୀତାଂଶୁ ସୁନ୍ଦର ସାଜି,

ତମେ ତାରକିତ ପ୍ରସୂନେ ପ୍ଳାବିତ,

ଯାମିନୀ ଯୋଗିନୀ ଆହ୍ଲାଦ ଆଜି ।


ଶାନ୍ତ ସମୀରଣ ଶୁଭ ଶିହରଣ,

ବହି ବଧୂବେଶ ରମଣୀ ରସେ,

ମେଘମାଳ ମିଶି ଖଗୋଳରୁ ଖସି,

ଶିଖରୀ ଶିଖର ବଳୟେ ବସେ ।


କାଶପୁଷ୍ପ କାନ୍ତି ବହୁଳେ ବଢାନ୍ତି,

ତଟିନୀର ତଟେ ଶୟଳ ଶୋଭା,

ନିରିମଳ ନୀର ନିନାଦେ ନିର୍ଝର,

ସୁଗମ ସଙ୍ଗୀତ ଲାଗଇ ଲୋଭା ।


ବିଜନ ବଲ୍ଲରୀ ଝାଡରୁ ଝିଙ୍କାରି,

ଆଜ ଅପସରି ସଙ୍କୋଚ ସତେ,

ଶ୍ୟାମଳ ଶରତେ ପ୍ରେୟସୀ ପରତେ,

କେକୀ କଳରବ ମଉନ ମତେ ।


ଉଠେ ଉପଚାର ଷୋଡଶ ସମ୍ଭାର,

ଭୂପୃଷ୍ଠେ ଭବାନୀ ଧରଣୀ ଧାତ୍ରୀ,

ଆଶ୍ଵିନେ ଆସର ଅମ୍ବିକା ଅପାର,

ଶୁଭେ ଶୈଳପୁତ୍ରୀ ରଞ୍ଜନ୍ତି ରାତ୍ରୀ ।


ନବଦିନେ ନବ ଉଲ୍ଲାସ ଉଦ୍ଭବ,

ବିଭିନ୍ନ ବେଶରେ ହିତକାରିଣୀ,

ରୁଦ୍ରାକ୍ଷ ରାଶିରେ କମଣ୍ଡଳୁ କରେ,

ଦ୍ବିତୀୟ ଦିବସେ ବ୍ରହ୍ମଚାରିଣୀ ।


ତୃତୀୟେ ତୃପତ ଚନ୍ଦ୍ରଘଣ୍ଟା ଚିତ୍ତ,

ଚତୁର୍ଥ ଚରଣେ କୁଷ୍ମାଣ୍ଡା କାନ୍ତା,

କୋଳରେ କୁମର ବାତ୍ସଲ୍ୟେ ବିଭୋର,

ପଞ୍ଚମେ ପ୍ରବୀଣା ସେ ସ୍କନ୍ଦମାତା ।


ସ୍ନେହ ସମାଦର ସୁଖର ସାଗର,

ଖଡଗ ଖର୍ପର ତ୍ରିଶୂଳ ତୁମ,

କାୟା କଳେବରେ ଶକତି ସଞ୍ଚାରେ,

ଶକ୍ତି ଶାନ୍ତିସୁଧା ଧ୍ୟାତବ୍ଯ ଧୂମ ।


ଷଷ୍ଠେ ସୀମନ୍ତିନୀ କିବା କାତ୍ୟାୟନୀ,

କରନ୍ତି କାରୁଣ୍ୟେ ତ୍ରିପୁର ତ୍ରାଣ,

ସପ୍ତମରେ ସତୀ କାୟା କାଳରାତ୍ରୀ,

ଦୂଷଣ ଦମନେ ପ୍ରଖର ପ୍ରାଣ ।


ଶଙ୍କର ସୁନ୍ଦରୀ ମାତା ମହାଗୌରୀ,

ଅଷ୍ଟମୀ ଆସନ୍ତେ ତୋଷ ତୁମରି,

ନବମୀ ନିଶୀଥେ ସିଦ୍ଧିଦାତ୍ରୀ ସତେ,

କଲ୍ୟାଣ କାରିଣୀ ଶକ୍ତି ସୁମରି ।


ମା'ଗୋ ମହାମାୟୀ ପାଦୋଦକ ପାଇ,

ମହିମା ମଣ୍ଡନେ କହି କଷଣ,

କୃତ କରତଳ ପ୍ରସାରି ପ୍ରବଳ,

ଆଶିଷ ଆଶାରେ ପାତେ ପ୍ରସନ୍ନ ।


ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in