ନବ ପ୍ରଭାତ
ନବ ପ୍ରଭାତ
ନିଦ୍ରା ତେଜି ଉଠ ସନ୍ତାନ ସକଳ
ଆହ୍ୱାନ ଦେଉଛି ଉତ୍କଳ ମାତା
ପୂରୁବ ଗୌରବ ଗାରିମାର ଗାଥା
ବିସ୍ମରି ଯାଇଛ ମନରୁ କିଆଁ ।
ବାପା ଦାଦିଙ୍କର ବୀରତ୍ୱ କାହାଣୀ
ଇତିହାସେ ଲେଖା ସ୍ଵର୍ଣ୍ଣ ଅକ୍ଷରେ
ବଂଶଜ ହୋଇ ବି ପୂର୍ବଜଙ୍କ ପାଇଁ
ସମ୍ମାନ ଟିକିଏ ନାହିଁ ମନରେ ।
କଳା କଉଶଳେ ଭାଷା ସାହିତ୍ୟରେ
ରଚିଯାଇଛନ୍ତି ଅମର କୃତୀ
ସେ କୀରତ୍ତିରାଜି ଲୁପ୍ତ ପ୍ରାୟ ଆଜି
ନୀରବେ ଝୁରନ୍ତି ଅତୀତ ସ୍ମୃତି ।
ବୀର ଜାତି ବୋଲି ପଡୁଥିଲା ହୁରି
ନଥିଲା ମନରେ ଶତ୍ରୁର ଶଙ୍କା
ନିଜର ସନ୍ତାନ ସାଜିଛି ବଇରୀ
କିଏ ବା କରିବ ମାଆର ରକ୍ଷା ।
ନାହିଁ ଜମା ହୃଦେ ମାତୃଭଷା ପ୍ରୀତି
ଦେଶପ୍ରେମ ଭାବ ହେଲାଣି ଶୂନ୍ୟ
ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି ଆହରି
ଲୁଟୁଛ ମାଆର ମାନ ସମ୍ମାନ ।
ଯେଉଁ ମାତୃଭୂମି ସ୍ୱାଧୀନତା ପାଇଁ
ଜୀବନ ହାରିଲେ ତୁମ୍ଭ ଅଗ୍ରଜ
ସେହି ଭୂମି ଛାଡି ବିଦେଶ ଯାଉଛ
ଭାଳିଲେ ମନରେ ଲାଗୁଛି ଲାଜ ।
ନାନାଦି ସମ୍ପଦ ଭରିଛି ଗରଭେ
ତଥାପି ଦାରିଦ୍ର୍ୟ ଖେଳୁଛି ଖେଳ
ଆଳସ୍ୟକୁ ତେଜି ପ୍ରଗତି ନିମିତ୍ତ
ଆଗଭର ହୁଅ ଆସିଛି ବେଳ ।
ନୂତନ ସୂର୍ଯ୍ୟର ସୁନେଲି ରଶ୍ମିରେ
ଜାଗିଉଠ ଆହେ ସନ୍ତାନ ଗଣ
ଭୀରୁତା ଗରବ ସ୍ୱାର୍ଥ ଅହଂକାର
ଦୂରେଇବା ପାଇଁ କର ହେ ପଣ ।
ଅଜ୍ଞାନ ପୁଟୁଳି ଫିଟାଇ ଆଖିରୁ
ତନ୍ନ ତନ୍ନ କରି ପଢ଼ ଅତୀତ
ନୂତନ ଭାବନା ନବ ଚେତନାରେ
ପରିପୂର୍ଣ୍ଣ ହେଉ ନବ ପ୍ରଭାତ ।
