ନାଶ କର ଆର୍ତ୍ତତ୍ରାଣ
ନାଶ କର ଆର୍ତ୍ତତ୍ରାଣ
କାହିଁକି ପ୍ରଭୁ ହେ ନୀରବ ରହିଛ
ପାପ ଅନ୍ୟାୟକୁ ଦେଖି
ହୃଦୟେ ତୁମର ବ୍ୟଥା କି ହେଉନି
ଲୁହ ଝରାଉନି ଆଖି ।
ତୁମେ ତ ଗଢିଛ ନାରୀ ପୁରୁଷଙ୍କୁ
ସୃଷ୍ଟି ସରଜନା ପାଇଁ
ସମ ସନମାନ ସମ ଅଧିକାର
ସମ ଭାବେ ବାଣ୍ଟି ଦେଇ ।
ତଥାପି କାହିଁକି ଆମ ସମାଜରେ
ନାରୀ ଅବହେଳା ହୁଏ
ସତେକି ଶିକୁଳି ବନ୍ଧା ହୋଇ ପାଦେ
ନାନା ନିର୍ଯ୍ୟାତନା ସହେ ।
ବଳାତ୍କାର ପରି ଘୃଣ୍ୟ ଆତଙ୍କରେ
ଆତଙ୍କିତ ନାରୀଜାତି
ସୁରକ୍ଷାର ବାଟ ଅବରୁଦ୍ଧ ହୋଇ
ଲୋପ ପାଇଅଛି ଶାନ୍ତି ।
ଜଗତ ରକ୍ଷକ ହୋଇ ଯଦି ପ୍ରଭୁ
ନିସ୍ତାରିବ ନାହିଁ ପାପ
ଭାବିବୁକି କୁହ ନାରୀ ଜନ୍ମ ସତେ
ଆମପାଇଁ ଅଭିଶାପ ।
ସୃଷ୍ଟି ରକ୍ଷାକାରୀ ଧରାଧାମେ ନାରୀ
ଆଜି କିନ୍ତୁ ସତ୍ତାହୀନ
ସମାଜ ବୁଝେନା ନାରୀର ଜୀବନ
ଅବା ତା'ର ଅବଦାନ ।
ନର ପିଶାଚର ଶକ୍ତ ପଞ୍ଝାରେ
କବଳିତ ନାରୀ ପ୍ରାଣ
ଚକ୍ର ପେଶୀ ପ୍ରଭୁ ଦାନବ ଜାତିକୁ
ନାଶ କର ଆର୍ତ୍ତତ୍ରାଣ ।
ହରିଦିଅ ସର୍ବ କଷଣ ନାରୀର
ପାପ ହେଉଯାଉ ନାଶ
ସଙ୍କଟ ବିହୀନ ହେଉ ତା' ଜୀବନ
ଓଠେ ଭରିଦିଅ ହସ ।
