ନାରୀର ଅସ୍ମିତା
ନାରୀର ଅସ୍ମିତା
ନାରୀର ଅସ୍ମିତା ପ୍ରସନ୍ନ କୁମାର ଦାସ
ପିତା କଲେ ସ୍ୱୟମ୍ବର ବରିଲି ଅର୍ଜୁନ
କୁନ୍ତୀମାତା ଦ୍ରବ୍ୟ ସମ କଲେ ବିଭାଜନ
ସେହିଦିନୁ ହେଲି ପଞ୍ଚପାଣ୍ତବ ବନିତା...
ମୁଁ ଦ୍ରୌପଦୀ ଯାଜ୍ଞସେନୀ ଦ୍ରୁପଦ ଦୁହିତା l
ଧର୍ମରାଜ ଯୁଧିଷ୍ଠିର ପ୍ରୀତି ଜୁଆଖେଳେ
ବସ୍ତୁ ସମ ବାଜି ଦେଇ ଖେଳେ ହାରିଗଲେ...
ହାରିଗଲେ ପୁରୁଷାର୍ଥ ପୁରୁଷର ପଣ
ସଭାରେ ଉଲଗ୍ନ କଲେ କୌରବ ସନ୍ତାନ ।
କୁରୁସଭାସଦ ପତି ଗୁରୁ ଗୁରୁଜନ
ସେ’କାଳେ କୁରୁସଭାରେ ହୋଇଲେ ମଉନ...
ଅର୍ଜୁନର ପତ୍ନୀପ୍ରୀତି ମୋହ କି'ନଥିଲା
ମହାଭାରତ ଯୁଦ୍ଧରେ ମୋହ ଉପୁଜିଲା ?
ଦୁଇବାହୁ ତୋଳି କଲି ଆତ୍ମସମର୍ପଣ
ରଖ ମୋର ଲାଜ କୃଷ୍ଣ ହେ’ମଧୁସୂଦନ...
କୋଟି ବସ୍ତ୍ର ଦେଇ କଲ ଲଜ୍ଜା ନିବାରଣ
ତ୍ରିଲୋକେ ହେଲ ବିଦିତ ମାନଉଦ୍ଧାରଣ ।
ପାଣ୍ଡବ ବନବାସର ହେଲି ସହଚରୀ
ବିରାଟ ରାଜା ରାଇଜେ ସୌରନ୍ଧ୍ରୀ ହୋଇଲି...
କୀଚକ ବାସଶେଯରେ କରେ ନିମନ୍ତ୍ରଣ
ନାରୀ ସତେ ପୁରୁଷର କାମ ପ୍ରସାଧନ ?
ନୋହିଲି ନିଶ୍ଚିତ ପତ୍ନୀ ନିର୍ଦ୍ଦିଷ୍ଟ ପତିର
ପାଂଚ ପୁତ୍ର ଜନମିଲି ପୁତ୍ର ନାହିଁ ମୋର
ଦେବଅଂଶୀ ରାଜକନ୍ୟା ନାମ ମୋ ଦ୍ରୌପଦୀ
ନିରର୍ଥକ ନାରୀ ଦେହ ଏକି ଦୈବ ବିଧି ?
ଆବହମାନକାଳରୁ ଅବଳା ଧର୍ଷିତା
ଉତ୍ପିଡ଼ିତା ନିର୍ଯାତିତା ସେ’ ଅବହେଳିତା
ପିତା ପତି ନାମେ କ୍ରମେ ହୁଏ ପରିଚିତା
ନାହିଁ କି’ବା ନାରୀ ଦେହ ଜୀବନ ଅସ୍ମିତା ?
ତୁମ ସୃଷ୍ଟି ହୁଏ ଯେବେ ଦୁର୍ବହ ପତିତ
ଅବତରି ଧରା କୋଳେ ହୁଅ ଆତ ଯାତ
ପାପୀ ନାଶ କରି ଧର୍ମ କର ସଂସ୍ଥାପନ
ତୃତୀୟ ପାଣ୍ଡବେ ପ୍ରଭୁ କହିଛ ଆପଣ ।
ଦେଖ ଆଜି ତୁମ ପୃଥ୍ଵୀ ହୁଏ ଟଳମଳ
ଲକ୍ଷ ଦୁଃଶା ଦୁର୍ଯୋଧନ ହୋଇ କାମାତୁର
ନିର୍ବସନ କରୁଛନ୍ତି ନିରୀହ କାମିନୀ
ଗଣଧର୍ଷଣେ ବିଦୀର୍ଣ୍ଣ ହେଉଛି ଅବନୀ ।
ପତିତପାବନୀ ଧାରା ହେଲା ଅପବିତ୍ର
ସାଗର ଲଙ୍ଘିଲା କୁଳ ପ୍ରାଣୀ ହେଲେ ତ୍ରସ୍ତ
ପ୍ରକୃତିର ଋତୁ କାଳ ହେଲା ଅନିଶ୍ଚିତ
ଆରତେ ଡାକେ ଧରତି ଆସ ଜଗନ୍ନାଥ ।