ନାରୀକୁ ଦିଅ ସମ୍ମାନ
ନାରୀକୁ ଦିଅ ସମ୍ମାନ
ପର୍ବତୁ ଜନମି କୃଶାଙ୍ଗୀ ନିର୍ଝର
ନଦୀ ହୋଇଯାଏ ବହି,
ହେଲେ ଯେତେ ଦୀର୍ଘକାୟ ତା
ଉତ୍ପତ୍ତି ସ୍ଥଳକୁ ପାରେକି ଯାଇ। [୧]
ସେହିପରି ନାରୀ ସୃଷ୍ଟିର ଓଁକାର
ପୁରୁଷ ତାଠାରୁ ସୃଷ୍ଟ ,
ଜନନୀ ଭଗିନୀ ବନ୍ଧୁ ଜାୟା କନ୍ୟା
ରୂପେ ସବୁଠାରୁ ଶ୍ରେଷ୍ଠ। [୨]
ସୃଷ୍ଟି କାରିଣୀ ପାଳନ କାରିଣୀ
ଚରିତ୍ର ସଂହାରିଣୀ ଜ୍ଞାନଦାତ୍ରୀ,
ସୁସ୍ଥ ଶୃଙ୍ଖଳିତ ସମାଜ ଗଠନେ
ନାରୀ ସର୍ବମୟ କର୍ତ୍ତୀ। [୩]
ଧୈର୍ଯ୍ଯ ତ୍ୟାଗ କ୍ଷମା ଯାହାର ଆଦର୍ଶ
ସ୍ନେହ ମମତା ଯା ପ୍ରାଣ,
ଶୃଙ୍ଖଳିତ ଶୁଦ୍ଧ ସଂଯମୀ ଶାଳୀନ
ଦୃଷ୍ଟିଭଙ୍ଗୀ ଯା ଭୂଷଣ। [୪]
ଶାରିରୀକ ନିର୍ଯ୍ୟାତନାଠୁ ଅଧିକ
ମାନସିକ ନିର୍ଯ୍ୟାତନା,
ମୃତବତ୍ ପୀଡା ପାଇଥାଏ ପିଇ
ଅପମାନ ଓ ଛଳନା। [୫]
ଘୃଣ୍ୟ ମଣେ ଆତ୍ମ ସମ୍ମାନର ବଳି
ଆତ୍ମ ମର୍ଯ୍ୟାଦା ତା ଗର୍ବ,
ପ୍ରକୃତି ସ୍ୱରୂପା ନାରୀ ବ୍ୟତିରେକ
ପୁରୁଷ ପଙ୍ଗୁ ଅଥର୍ବ। [୬]
ମା କୋଳେ ପ୍ରାଣୀ ଜୀବନ ଅଙ୍କୁର
ମାଟି ମା କୋଳେ ବିଲୀନ,
'ମା' ମାଟି ମାଆ ଆଶ୍ରୟେ ଜୀବନ
ସାର୍ଥକ ଓ ପରିପୂର୍ଣ୍ଣ। [୭]
ମାନବେ ଯଦିଚ କରିବ ଚାହୁଁଛ
ସମାଜର ଅଭ୍ୟୁଥାନ,
ଜନନୀ ଜଠରୁ ଶ୍ମଶାନ ପର୍ଯ୍ୟନ୍ତ
ନାରୀକୁ ଦିଅ ସମ୍ମାନ। [୮]
